Unknown

 

 

 

 

 

 

 

 

 

 

ଗଳ୍ପ ନୁହେଁ

ଶ୍ରୀ ଗୋଦାବରୀଶ ମହାପାତ୍ର

 

ଲେଖାର କଥା

 

ଏଥିରେ ସ୍ଥାନ ପାଇଥିବା ଲେଖାଗୁଡ଼ଇକ ଦିନେ ଯେ ବହି ଆକାରରେ ପ୍ରକାଶ ପାଇବ, କଳ୍ପନା କରାଯାଇନଥିଲା । ‘ନିଆଁଖୁଣ୍ଟା’ ର ଲକ୍ଷ ଲକ୍ଷ ପାଠକଙ୍କର ଏହି ଲେଖାଗୁଡ଼ିକ ଅତି ସୁପରିଚିତ । ସମୟ ଓ ସମସ୍ୟା ନେଇ ଏହା ଲେଖାଯାଇଥିଲା । ଏହାକୁ ‘‘ଗଳ୍ପ ନୁହେଁ’’ ବୋଲି କହିବାର ଅର୍ଥ ଏହି ସବୁ ଲେଖାର ଜନ୍ମବେଳେ ଗଳ୍ପଭାବରେ ଏହା ଲେଖାଯାଇନଥିଲା । ତେଣୁ ଗଳ୍ପରେ ପୂରା ଶୈଳୀରେ ହୁଏତ ଅନେକ ସ୍ଥଳରେ ବ୍ୟତିକ୍ରମ ହୋଇଚି । ସମାଜ ଓ ରାଜନୀତି ଚର୍ଚ୍ଚା କଲାବେଳେ ଅନ୍ୟ କେତେକ ଲେଖାର ଛାୟା ଏଥିରେ ପଡ଼ିଛି; କେତେକ ଅବଲମ୍ବନରେ ଲେଖାଯାଇଚି । ସମୟ ଓ ସମସ୍ୟାଠାରୁ ଏସବୁ ବେଶୀ ଦୂରରେ ନଥିଲେ ମଧ୍ୟ ଦୂରତା ଯେ ଅଛି, ଏହା ସ୍ୱୀକାର୍ଯ୍ୟ । ତେଣୁ ଲେଖାଗୁଡ଼ିକର ସମୟ ଓ ସମସ୍ୟାକୁ ଆଗରେ ରଖି ପାଠକମାନେ ଏହାର ରସ ଉପଭୋଗ କରିପୋରିବେ ବୋଲି ଆଶା କରାଯାଏ ।

 

ଲେଖକ

 

ମୋର ସ୍ୱର୍ଗଯାତ୍ରା

 

ଥରେ ମୁଁ ସ୍ୱର୍ଗକୁ ଯାଇଥିଲି - ଏ କଥା ଶୁଣିଲେ ହୁଏତ ପାଠକମାନେ ହସିବେ । କିନ୍ତୁ ମୁଁ ଯିବାଟା ନିତାନ୍ତ ସତ, ଯେପରି ସକାଳେ ସୂର୍ଯ୍ୟୋଦୟ ସତ, ପ୍ରତି ସାତଦିନରେ ଥରେ ରବିବାର ପଡ଼ିବା ସତ । ନିଜର ସୁଖ ପାଇଁ ମୁଁ ସ୍ୱର୍ଗକୁ ଯାଇନଥିଲି; ଯାଇଥିଲି ପରର ହିତପାଇଁ ନିତାନ୍ତ ନିଃସ୍ୱାର୍ଥପର ଭାବରେ । ମୁଁ ହେଉଚି ଓଡ଼ିଶାର ପ୍ରଧାନମନ୍ତ୍ରୀ । ଦେଶର ହିତ କରିବାକୁ ଗଲାବେଳେ ବହୁତ ବାଧାବିଘ୍ନ ପଡ଼ିଚି । ଭଲ କାର୍ଯ୍ୟ କଲାବେଳେ ବାଧା ପଡ଼େ । ଦିନେ ମୋର ସହକର୍ମୀମାନେ ସ୍ଥିର କଲେ - ଆମ ନେତାଙ୍କୁ ଥରେ ଡେପୁଟେସନ୍‌ରେ ସ୍ୱର୍ଗକୁ ପଠାଯାଉ । ଯଦି ସେଥିରେ କିଛି ପ୍ରତିକାର ନହୁଏ, ତେବେ ସ୍ୱର୍ଗ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ହେବ; ଫଳରେ ମୋତେ ସ୍ୱର୍ଗଗମନ କରିବାକୁ ହେଲା ।

 

ମୋତେ ସ୍ୱର୍ଗକୁ ବାଟ ଜଣାନଥିଲା । ଗୀତା ଚର୍ଚ୍ଚା କରି ଏବଂ ପଣ୍ଡିତମାନଙ୍କୁ ପଚାରି କୌଣସିମତେ ସ୍ୱର୍ଗରେ ପହଞ୍ଚିଲି । ସ୍ୱର୍ଗର ଦ୍ୱାରଦେଶରେ ଜୟ ବିଜୟ ପ୍ରହରୀ ଥିଲେ । କୌଣସିମତେ ସେମାନଙ୍କୁ ମାମୁଲି ଖୋସାମଦ୍‌ କରି ଦରବାର ଘରେ ଯାଇ ଉପସ୍ଥିତ ହେଲି । ଦେଖିଲି, ଘର ଭିତରେ ଜଣେ ଜ୍ୟୋତିର୍ମୟ ପୁରୁଷ ବସିଛନ୍ତି । ତାଙ୍କୁ ସ୍ପଷ୍ଟ ଚାହିଁ ହେଉନାହିଁ । ତାଙ୍କ ପାଖରେ ଆଉ ଜଣେ କିଏ ଖାତାପତ୍ର ଧରି ବସିଛନ୍ତି ଠିକ୍‌ ଯେପରି ଅଦାଲତରେ ବିଚାରକଙ୍କ ପାଖେ ପେସ୍କାର ଥା’ନ୍ତି ।

 

ପ୍ରହରୀ ମୋତେ ଚିହ୍ନାଇ ଦେଲା - ଏ ହେଉଛନ୍ତି ବିଧାତା-ପୁରୁଷ, ଏ ହେଉଛନ୍ତି ଚିତ୍ରଗୁପ୍ତ, ତାଙ୍କ ପେସ୍କାର । ଯାହା କିଛି ଜଣାଇବାର ଅଛି ଏହିଠାରେ ଜଣାଅ ।

 

ମୁଁ ପୃଥିବୀର ନାନାପ୍ରକାର ଅନ୍ୟାୟ, ଅତ୍ୟାଚାର, ଉତ୍‌ପୀଡ଼ନ ପ୍ରଭୃତି ବର୍ଣ୍ଣନା କରି ଶେଷରେ ଓଡ଼ିଶାରେ ଭଲ କାମଟାଏ କରିବାକୁ ଗଲେ କେତେ ବିଘ୍ନ ପଡୁଚି, ବିଶେଷରେ ହୀରାକୁଦ ବନ୍ଧ, ଡୁଡୁମା-ଦାନକୁ ଉଲ୍ଲେଖ କରି ସବୁ କହିଗଲି ।

 

ବିଧାତା କହିଲେ - ଏ ସବୁ କଥା ପରେ ଶୁଣିବା; ଆଗ କହ, ତୁମେ କେଉଁଠୁ ଆସିଚ ।

 

ମୁଁ କହିଲି - ମୁଁ ଓଡ଼ିଶାରୁ ଆସିଚି ।

 

ବିଧାତା କିଛି ବୁଝି ନ ପାରି କହିଲେ - ସେ’ଟା କ’ଣ ?

 

ଏ ପ୍ରଶ୍ନ ଶୁଣି ମୁଁ ବଡ଼ ଆଶ୍ଚର୍ଯ୍ୟ ହେଲି । ଭାବିଲି, ଏ ପୁଣି କି ବିଧାତା ! ଓଡ଼ିଶାର ଖବର ରଖି ନାହାନ୍ତି ! ବୋଧହୁଏ ଖବର ରଖୁ ନାହାନ୍ତି ବୋଲି ଓଡ଼ିଶାରେ ଏତେ ଅନ୍ୟାୟ, ବାଧା ଘଟୁଚି ।

 

ବିଧାତା ପଚାରିଲେ - ଓଡ଼ିଶାଟା କେଉଁଠି ?

 

ମୁଁ ତ ଇତିହାସ, ଭୂଗୋଳ, ଜ୍ୟୋତିଃଶାସ୍ତ୍ର ସବୁ ପଢ଼ିଥିଲି, କହିଲି - ଓଡ଼ିଶା ହେଉଚି ଭାରତବର୍ଷରେ ।

 

ବିଧାତା ପୁଣି ପଚାରିଲେ - ଭାରତବର୍ଷ କେଉଁଠି ?

 

ମୁଁ ତତୋଽଧିକ ଆଶ୍ଚର୍ଯ୍ୟ ହେଲି । କିଛି ସମୟ ତୁନି ରହି କହିଲି - ଭାରତବର୍ଷ ହେଉଚି ପୃଥିବୀରେ ।

 

ପୁଣି ପ୍ରଶ୍ନ ହେଲା - ପୃଥିବୀଟା କେୁଉଁଠି ?

 

ସେତେବେଳେ ମନେ ହେଲା ବିଧାତାଙ୍କର ଏ ଅଜ୍ଞତା ଦେଖି ଚାରିପଦ ଶୁଣାଇଦେବି । ବଡ଼ କଷ୍ଟରେ ନିଜକୁ ସଂଯତ କରି ଉତ୍ତର ଦେଲି - ସୌରମଣ୍ଡଳ ମଧ୍ୟରେ ପୃଥିବୀ ଏକ ଗ୍ରହ, ଛାୟାପଥ ଯାହାର ମେରୁଦଣ୍ଡ, ସେହି ବିଶ୍ୱର ଗୋଟିଏ ନକ୍ଷତ୍ର ସୂର୍ଯ୍ୟ, ଆଉ ପୃଥିବୀ ତାହାରି ଅନ୍ତର୍ଗତ ଏକ ଗ୍ରହ ।

 

ବିଧାତା ସେଇପରି ଅବିଚଳିତ ରହି ପଚାରିଲେ - କେଉଁ ଛାୟାପଥ କଥା କହୁଚ ? ମୋର ତ ପାଞ୍ଚଶହ କୋଟି ଛାୟାପଥ ରହିଚି ।

 

ବିଚାରିଲି ବୈଜ୍ଞାନିକ, ୠଷି, ମୁନି, ପଣ୍ଡିତଗଣ କ’ଣ ଏତେ ଭୁଲ୍‌ଗଣନା କରଚନ୍ତି ? ଯେତେବେଳେ ଏତେବାଟ ଆସିଚି, କଥାଟା ଶୁଣାଇଯାଏ । ଜ୍ଞାନ-ଗରିମାରେ ମୋ ଦେଶରେ ତ ମୋର ଖ୍ୟାତି ଅଛି । ସେଇ ଆତ୍ମବୋଧ ନେଇ କହିଲି - ତୁମେ ପୃଥିବୀ କ’ଣ ଜାଣନାହିଁ ? ସୁଜଳା, ସୁଫଳା, ଶସ୍ୟ-ଶ୍ୟାମଳା ପୃଥିବୀ ପାଞ୍ଚଟି ମହାଦେଶ, ସାତଟି ସମୁଦ୍ରରେ ଭୂଷିତ । ସେ ଭିତରେ ଏସିଆ ମହାଦେଶରେ ଭାରତବର୍ଷ ଅବସ୍ଥିତ । ଭାରତବର୍ଷରେ ତେରଟି ପ୍ରଦେଶ ଭିତରୁ ଉତ୍‌କଳ ବା ଓଡ଼ିଶା ଏକ ପ୍ରଦେଶ ।

 

ଏତେ କଥା କହି ବିଧାତାଙ୍କର କୌଣସି ପରିବର୍ତ୍ତନ ଦେଖିଲିନାହିଁ । ତେଣୁ ଆହୁରି ବୁଝାଇ କହିଲି - ଭାରତବର୍ଷରେ ଉତ୍‌କଳ ବଡ଼ ପବିତ୍ର ଦେଶ । ସେଠାର ଦାଣ୍ଡ, ବରଗଛ, ନଦୀ, ଦେବତା ପଛରେ ‘ମହା’ ଶବ୍ଦଟି ଲଗିଚି । କେତେ ଧର୍ମ ସେଠାରେ ପ୍ରଚାରିତ ହୋଇଚି । କେତେ ବନ୍ୟା, କେତେ ମରୁଡ଼ି, କେତେ ଦୁର୍ଭିକ୍ଷ ସେଠାରେ ଳୀଲା କରି ଯାଇଚନ୍ତି । ଏପରି ସ୍ଥାନର ନାମ ଆପଣ ଜାଣିନାହାନ୍ତି, ଏଥିରେ ମୋର ଘୋର ଦୁଃଖ ହେଉଚି ।

 

ବିଧାତାପୁରୁଷ କହିଲେ - ସତକଥା, ମୁଁ ପୃଥିବୀର ନାଁ ସୁଦ୍ଧା ଜାଣିନାହିଁ । ମୋ ସୃଷ୍ଟିରେ ଯେ ଏପରି ସ୍ଥାନ ରହିଚି, ତୁମଠାରୁ କେବଳ ଶୁଣିଚି । ମୁଁ ହାତଯୋଡ଼ି ସ୍ୱତଃ କହିପକାଇଲି - ତେବେ କ’ଣ ବିନା ବିଚାରରେ ଫେରିଯିବି ?

 

ଏଇ କଥାରେ ବିଧାତା ପୁରୁଷଙ୍କର ଦୟା ହେଲା । ସେ ଚିତ୍ରଗୁପ୍ତଙ୍କୁ ଡାକି କହିଲେ - ଖାତାପତ୍ର ଘାଣ୍ଟି ଦେଖ ତ ପୃଥିବୀ ଓ ତା’ ଭିତରେ ଓଡ଼ିଶା ବୋଲି କିଛି ଉଲ୍ଲେଖ ଅଛି କି ନାହିଁ ।

 

ମୁଁ ଅପେକ୍ଷୋ କଲି । ଚିତ୍ରଗୁପ୍ତ ତାଙ୍କ ନଥିପତ୍ର ଖୋଜିବାରେ ଲାଗିଲେ ।

 

କିଛିଦିନପରେ ଦରାବାର ଘରକୁ ମୋତେ ଡକାରହେଲା । ଦେଖିଲି ଚିତ୍ରଗୁପ୍ତ ସେଠାରେ ବିଧାତାଙ୍କୁ କହିବାରେ ଲାଗିଛନ୍ତି - ପ୍ରଭୁ, ସ୍ୱର୍ଗର ମହାଫିସଖାନା ଯେ କେତେ ବଡ଼, ତାହା ଆପଣ ଜାଣନ୍ତି । ମୁଁ ପାଞ୍ଚ ଶହ ସହକର୍ମୀ ଲଗାଇ ଦିନ ଦିନ ତନ୍ନତନ୍ନ କରି ସବୁ ଖୋଜି ଖିନ୍‌ଭିନ୍‌କରି ଦେଖିଲି । କୌଣସିଠାରେ ପୃଥିବୀର ଉଲ୍ଲେଖ ସୁଦ୍ଧା ପାଇଲିନାହିଁ । ମୋର ବିଶ୍ୱାସ, ଜୀବଟା ଆମକୁ ଠକିବାକୁ ଆସିଚି ।

 

ବିଧାତା କହିଲେ - ହେଲା, ମାତ୍ର ଜୀବଟା କେଉଁଠୁ ଆସିଚି ସେ କଥା ତ ଫେରେ ଜାଣିବାକୁ ହେବ ।

 

ମୁଁ ଏ କଥା ଶୁଣି ଭୂତତ୍ତ୍ୱ, ନୃତତ୍ତ୍ୱ, ପ୍ରାଣୀତତ୍ତ୍ୱ, ଦର୍ଶନ, ଉପନିଷଦ୍‌ଆଦି ସବୁକଥା ବର୍ଣ୍ଣନା କରିଗଲି ।

 

ଶେଷରେ ବିଧାତାଙ୍କର କ’ଣ ମନେପଡ଼ିଗଲା, କହିଲେ - ସ୍ମରଣ ହେଉଚି, ମୋର ପିଲାଦିନେ ଅନେକ ଜଗତ ସୃଷ୍ଟି କରିଚି । ସେଥିରେ ମୋର ମନ ନମାନିବାରୁ ତାହା ସବୁ ଆଡ଼େଇ ଫିଙ୍ଗିଦେଇଥିଲି, ଜୀବଟା ବୋଧହୁଏ ତା’ରି ଭିତରୁ କୌଣସି ଗୋଟାକର କଥା କହୁଚି । ଚିତ୍ରଗୁପ୍ତ, ଥରେ ସେଇ ନାମଞ୍ଜୁର ପରିତ୍ୟକ୍ତ ଜଗତର ନଥିପତ୍ର ଦେଖ ତ !

 

କିଛିକାଳ ଗଲା । ପୁଣି ଦିନେ ଦରବାରକୁ ମୋତେ ଡକରା ପଡ଼ିଲା । ଏଥର ଚିତ୍ରଗୁପ୍ତ ବିଧାତାଙ୍କୁ କହିଲେ - ସେହି ପରିତ୍ୟକ୍ତ ଜଗତର ନଥିପତ୍ର ଏତେ ଯେ ତହା ଦେଖିବାକୁ ଏତେକାଳ ଲଗିଲା । ଶେଷରେ ଖଣ୍ଡେ ଏକ ଜୀର୍ଣ୍ଣ ନଥିର ପାଦଟୀକାରେ ଗୋଟାଏ ସୌରମଣ୍ଡଳର ଉଲ୍ଲେଖ ଅଛି । ପୃଥିବୀ ବୋଧହୁଏ ତାହାରି ଅନ୍ତର୍ଗତ ଏକ ଗ୍ରହ ।

 

ବିଧାତା କହିଲେ - ଠିକ୍‌ଠିକ୍ । ସେଇ ପରିତ୍ୟକ୍ତ ମୃତ୍‌କଣିକାରେ କାଳକ୍ରମେ ପାଣି ପବନ ଲାଗି ଏକ କୀଟାଣୁ ଜାତ ହୋଇଛନ୍ତି । ଏଇ ଆଗନ୍ତୁକ ବୋଧହୁଏ ତାଙ୍କୁ କହୁଚି ମନୁଷ୍ୟ ।

 

ଆମେ କୀଟାଣୁ ! ପାଣି-ପବନର ମୃତ୍‌ପିଣ୍ଡ ପରି ସେଥିରୁ ଆମେ ଜାତ, ଆମେ ପରିତ୍ୟକ୍ତ ଜଗତର ଜୀବ !!! ଏକଥା ଭାବି ବିସ୍ମୟ, କ୍ରୋଧ, କ୍ଷୋଭ, ଅପମାନରେ ମୋ ମୁହଁରୁ ପରମପାର୍ଥିବ ଗୋଟିଏମାତ୍ର ଶବ୍ଦ ବାହାରିପଡ଼ିଲା ‘ଶଳା’ ।

 

ବିଧାତା କହିଲେ - ଆରେ ବିଚରା, କେଉଁ ଫିଙ୍ଗା-ଫୋଫଡ଼ା ମାଟି-କଣିକାରେ ପ୍ରକୃତିର ନିୟମ ଅନୁସାରେ କେଉଁ କୀଟାଣୁରୁ ସୃଷ୍ଟି ହୋଇଚି, ସେଥିଲାଗି ମୁଣ୍ଡ ଘୂରାଇବାର ମୋର ଅବକାଶ ନାହିଁ । ବିଶେଷରେ ପୁଣି କୀଟାଣୁର ପୁଣି ଦେଶଶାସନ, ସଭ୍ୟତା, ପ୍ରଧାନମନ୍ତ୍ରିତ୍ୱ, ସ୍ୱଦେଶମଙ୍ଗଳକାମନା ! ବେଶୀ ଦିନ ତୁମମାନଙ୍କର ଆଉ ଏସବୁ ସହ୍ୟ କରିହେବନାହିଁ । ମୋର ଗଣନା ଅନୁସାରେ ପାଞ୍ଚଦିନ ହେଲା ତୁମର ଉଦ୍‌ଭବ ହୋଇଚି; ଆଉ ଦିନ ଚାରି-ପାଞ୍ଚଟା ଭିତରେ ବିଲୟ ହେବ । ତୁମ୍ଭର ଯାହା ଖୁସି ତାହା କର । ଏ ମଧ୍ୟରେ ତମପାଇଁ ମୋର ବହୁ ମୂଲ୍ୟବାନ୍‌ ସମୟ ନଷ୍ଟ ହୋଇଚି ।

 

ମୁଁ ଠିକ୍‌ ଏତିକିବେଳେ ଓଡ଼ିଶାର ପ୍ରଧାନମନ୍ତ୍ରୀ ଯୋଗ୍ୟ ଗମ୍ଭୀରତା ଓ ମର୍ଯ୍ୟାଦା ସହକାରେ କହିବାକୁ ଆରମ୍ଭକଲି - ବିଧାତାପୁରୁଷ, ଏ ତୁମର ବଡ଼ ଅବିଚାର । ମୁଁ ଫେରିଯାଇ ମୋ କାବିନେଟ୍‌ରେ ତୁମ ନାମରେ ଅନାସ୍ଥା ପ୍ରସ୍ତାବ ପାଶ କରିବି । ମୁଁ ଆଦୌ କୀଟାଣୁ ନୁହେ, ଆମମାନଙ୍କର ଦର୍ଶନଶାସ୍ତ୍ର କହେ . . .

 

ଏଠାରେ ବିଧାତାପୁରୁଷ ପଚାରିଲେ - ଦର୍ଶନଶାସ୍ତ୍ର କାହାକୁ କହନ୍ତି ?

 

ମୁଁ କହିଲି - ଯେଉଁ -ଶାସ୍ତ୍ରରେ ଭଗବାନ ଓ ପରକାଳର ତତ୍ତ୍ୱ ନିହିତ ରହିଚି ।

 

‘କୀଟାଣୁର ପୁଣି ଗଭବାନ ! କୀଟାଣୁର ପୁଣି ପରକାଳ !!’ - ଏ କଥା କହି ସଭାସ୍ଥ ସମସ୍ତେ ଠୋ-ଠୋ ହସିଉଠିଲେ ।

 

ମୁଁ କହିଲି - ଆମ ମଧ୍ୟରେ ଯେଉଁମାନେ ଅମର . . .

 

ପ୍ରଶ୍ନ ହେଲା - ଅମର ଅର୍ଥ କ’ଣ ! କହିଲି - ଯେଉଁମାନଙ୍କ ଖ୍ୟାତି ଚିରକାଳ ରହିବ ।

 

ବିଧାତା କହିଲେ - ତୁମର ଚିରକାଳ ଅର୍ଥ ମୋର ଦିନ ଚାରି-ପାଞ୍ଚଟା ମାତ୍ର । ପୁଣି ଥରେ ହସିଉଠିଲେ । ମୁଁ କହିଲି - ସତ୍ୟ କହୁଚି . . . ବାଧାଦେଇ ବିଧାତା ପଚାରିଲେ - କହିବା ଆଗରୁ କହ, ସତ୍ୟ କାହାକୁ କହନ୍ତି ?

 

ଉତ୍ତର ଦେଲି - ବସ୍ତୁର ପ୍ରକୃତ ସ୍ୱରୂପକୁ ସତ୍ୟ କହନ୍ତି ।

 

ଚିତ୍ରଗୁପ୍ତ କହିଲେ - ଏ କଥା ବିଧାତାଙ୍କ ଛଡ଼ା କେହି ଜାଣନ୍ତନାହିଁ । ତୁମେ କୀଟାଣୁ ଏ କଥା ଜାଣିବ କିପରି ?

 

ପୁଣି ସେହି ଅବଜ୍ଞାର ହସରେ ସଭା ଉଛୁଳିଲା ।

 

ମୁଁ କ୍ରୋଧରେ କହିଲି - ଏ କ’ଣ ନ୍ୟାୟ କଥା ?

 

ବିଧାତା ପଚାରିଲେ - ନ୍ୟାୟ କାହାକୁ କହନ୍ତି, କହ ?

 

ମୁଁ କହିଲି - ନିଜ ପ୍ରତି ଯେ ଭାବ, ପରପ୍ରତି ସେ ଭାବ ପୋଷଣର ଅର୍ଥ ନ୍ୟାୟ ।

 

ଉତ୍ତର ମିଳିଲା - କୀଟାଣୁର ପୁଣି ଆପଣା-ପର ! ପୁଣିଥରେ ଅବଜ୍ଞାର ହସ ଉଠିଲା ।

 

ମୁଁ ବିବ୍ରତ ହେବାର ଦେଖି ବିଧାତା କହିଲେ - ଦେଖ ବିଚରା, ତୁମ ଘରକୋଣରେ ଯଦି କିଛି ମିଠା ଜିନିଷ ପଡ଼ିଥାଏ ଏବଂ କାଳକ୍ରମେ ଯେବେ ତାହା ସଢି ସେଥିରେ କୀଟ ଜାତ ହୁଅନ୍ତି, ସେମାନଙ୍କପାଇଁ ତୁମର କ’ଣ ମୁଣ୍ଡ ଘୂରେ ? ତୁମ ପାଖକୁ କ’ଣ ସେମାନେ ବିଚାର ନେବାକୁ ଆସନ୍ତି ବା ଆସିଲେ ତୁମେ ତାହା ବୁଝିବାକୁ ବସ ? ଏଇ ମୃତ୍‌କଣିକା, ଯାହାକୁ ତୁମେ ସୁଜଳା, ସୁଫଳା ବୋଲି ବର୍ଣ୍ଣନା କରୁଚ, ତାହା ଏହିପରି ଗୋଟାଏ ପଚାସଢ଼ା ଜିନିଷ । ବିଶ୍ୱ-ସୃଷ୍ଟିର ପ୍ରଥମ ଅମଳରେ ମୋର ହାତସଫେଇ ପାଇଁ ଏହିପରି ଅନେକ ଗଢ଼ୁଥିଲି ଏବଂ ମନ ନପାଇଲେ ଆଡ଼େଇ ଦେଉଥିଲି । ସେହିପରି ଏକ ମୃତ୍‌ପିଣ୍ଡରେ ପାଣିପବନ ଲାଗି କୀଟ ସୃଷ୍ଟି ହେଲା । ତୁମେ ସେହି କୀଟାଣୁ ମାତ୍ର । ମୁଁ ସେଠାରେ ସୃଷ୍ଟି ଇଚ୍ଛା କରିନାହିଁ, ତେଣୁ ମୋର ବିଧିବିଧାନ ସେଠାରେ ନାହିଁ । ଏଇ ତୁମର ସୃଷ୍ଟି ପାଣିପବନ ଫଳରେ ହୋଇଚି, ପ୍ରକୃତିର ନିୟମ ଅନୁସାରେ ଚଳୁଚି । ସେଇ ପ୍ରକୃତିର ନିୟମରେ ଆଉ ଦିନଚାରି ଦିନ ଭିତରେ ତାହା ବିଲୟ ଭଜିବ । ତୁମେମାନେ ମର, ବଞ୍ଚ, ଚିନ୍ତା କର, କାବ୍ୟ-କବିତା ଲେଖ, ବକ୍ତୃତା ଦିଅ, ଉପନ୍ୟାସ ରଚନା କର, ଇତିହାସ ସୃଷ୍ଟି କର, ହୀରାକୁଦ ବନ୍ଧ ପକାଅ, ଡୁଡୁମା ଦାନ କର, କମ୍‌ରେଡ଼ ହୁଅ ବା ଡିକ୍‌ଟେଟର୍‌ହୁଅ, ଯାହା ତୁମର ଇଚ୍ଛା ତାହା କର, ତୁମର ନିଜ ସୁଖଦୁଃଖକୁ ଏପରି ଗୁରୁତ୍ୱ ଦିଅନାହିଁ, ଯାହା କି ସ୍ୱର୍ଗ-ଦରବାରରେ ବିଚାରକୁ ଆସିବ । ତୁମେ ଏପରି ତୁଚ୍ଛ ପଦାର୍ଥ ଯେ ତୁମର ନାମ ପର୍ଯ୍ୟନ୍ତ ସ୍ୱର୍ଗର ନଥିପତ୍ରରେ ନାହିଁ-

 

ଏ କଥା ଶୁଣି ଚିତ୍ରଗୁପ୍ତ କହିଲେ - ପ୍ରଭୁ, ଜୀବଟାର ଆାସ୍ପର୍ଦ୍ଧା ତ କମ୍‌ ନୁହେ । ଏଟାକୁ ଏଠି ମାରିଦିଆଯାଉ ।

 

ବିଧାତା କହିଲେ - ନା ନା, ତା’ କର ନାହିଁ । ଏପରି କଲେ ଏମାନଙ୍କ ଅସ୍ତିତ୍ୱରେ ଗୁରୁତ୍ୱ ଦିଆଗଲା ବୋଲି ଧରାଯିବ । ବିଶେଷରେ, ଆମ ବିଶ୍ୱ ଭିତରେ ଏପରି ବିଚିତ୍ର କୀଟ ଅଛନ୍ତି ବୋଲି ଜାଣିବାରେ ଲାଭ ଅଛି ।

 

ବିଧାତାପୁରୁଷ ପାଖେ ସୁବିଚାରର କିଛି ଆଶା ନଦେଖି ମୁଁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ-ଯୋଗ୍ୟ ଧୈର୍ଯ୍ୟ, ଗାମ୍ଭୀର୍ଯ୍ୟ, ଶୌର୍ଯ୍ୟ, ପ୍ରାଖର୍ଯ୍ୟ ଦେଖାଇ କହିଲି- ଜାଣିରଖ ବିଧାତାପୁରୁଷ, ତୁମ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଅନିବାର୍ଯ୍ୟ । ଏଠାରୁ ଫେରି ମୁଁ...

 

ଏପରି ସମୟରେ ଦରବାରର ସମସ୍ତେ ଏପରି ଅଟ୍ଟହାସ୍ୟ କଲେ ଯେ ମୋର ପଦତଳ ପର୍ଯ୍ୟନ୍ତ ଥରିଲା, ମୋ ମୁଣ୍ଡ ଘୂରିଗଲା । ମୁଁ ଗଡ଼ି ତଳେ ପଡ଼ିଲି । ଆଖି ମେଲେଇ ଚାହିଁଲି, ସମ୍ବଲପୁର ସର୍କିଟ୍‌ ହାଉସ୍‌ର ଖଟ ଉପରେ ‘‘ପ୍ରବଳ ଜନମତ’’ କୁ ପ୍ରତିରୋଧ କରାଯିବା କଥା ଭାବି ଶୋଇଥିଲି; ଚମକି ତଳକୁ ଗଡ଼ିପଡ଼ିଲି ।

***

 

ମରିବାକୁ ବେଳ ନାହିଁ

 

ଗୋଟିଏ ଦିନର ଘଟଣା । ମନ୍ତ୍ରୀ ସକାଳୁ ଶେଯରୁ ଉଠି ବସିଲେ । କପେ ଚା’ ଖାଇଛନ୍ତି ମାତ୍ର, ରାତି ପାହୁ ପାହୁ ଖବରକାଗଜ ଆସିଗଲା । କେତେ ଦୈନିକ, ସାପ୍ତାହିକ, ପାକ୍ଷିକ, ମାସିକ ଟେବୁଲ ଉପରେ ଜମା । ଡାକବାଲାର ଚିଠି, ଅଫିସର ଫାଇଲ୍‌ଘରଯାକ ବିଛେଇ ହେଲାପରି ପଡ଼ିଛି । କେତେ ଦୂର ସ୍ଥାନର କେତେ ବାର୍ତ୍ତା, ଅଭିନନ୍ଦନପତ୍ର, ଆବାହନ ସଙ୍ଗୀତ, ନିମନ୍ତ୍ରଣ କାଗଜ-କେଉଁଟା କାଚରେ ବନ୍ଧାଯାଇଛି, କେଉଁଟା ବା ମୁକୁଳା ଭାବରେ ଠା-ଠା ଥୁଆହୋଇଛି ।

 

ମନେପଡ଼ିଗଲା, ଆଗରୁ ଠିକ୍‌ ହୋଇଛି ତାଙ୍କୁ ଯିବାକୁ ହେବ ‘‘ସାରୁଚାଷୀ ସଂଘ’’ ଉଦ୍‌ଘାଟନ କରିବାକୁ । ସମୟ ସକାଳ ଆଠଟା । ସେଥିପାଇଁ କଣ କରିବାକୁ ହେବ ମନ୍ତ୍ରୀ ବସି ନୋଟ୍‌ କରୁଛନ୍ତି, ଆସିଲା ଆଉ ଏକ ନିମନ୍ତ୍ରଣ ‘‘ପାଇଖାନା ଉଦ୍‌ଘାଟନ ସମିତି’’ ପକ୍ଷରୁ । ତାହା ପୁଣି ସକାଳ ସାଢ଼େ ଆଠଟା ବେଳେ ! ତେଣୁ ‘‘ପାଇଖାନା’’ ବିଷୟରେ ଚିନ୍ତା କରିବା ଦରକାର ହେଲା । ଦେଖୁ ଦେଖୁ ଦେଖୁ ମନଭିତରେ ସାରୁ ଓ ପାଇଖାନା - ଏ ଉଭୟ ଚିନ୍ତା ଏପରି ଜଟିଳ ହେଲା ଯେ, କ’ଣ ଭାବିବେ କ’ଣ ନ ଭାବିବେ ଚିନ୍ତା କରିପାରିଲେ ନାହିଁ । ଏହିପରି ସମୟରେ ଦଶମ ନମ୍ବର ଚପରାସୀ ଆସି କହିଲା ଯେ ନବମ ନମ୍ବର ଚପରାସୀ ଗଧୋଇାବା ପାଇଁ ପାଣି ଗରମ କରି ସାରିଛି; ଅଥଚ ଅଷ୍ଟମ ନମ୍ବର ଚପରାସୀ ତେଲ ମାଲିସ କରିବାକୁ ଏ ପର୍ଯ୍ୟନ୍ତ ଆସିନାହିଁ । କି ବିଶୃଙ୍ଖଳା !!

 

ଏପରି ସମୟରେ ମନ୍ତ୍ରୀଙ୍କ ପ୍ରାଇଭେଟ୍‌ ସେକ୍ରେଟେରୀଙ୍କ ଡେପୁଟି ସେକ୍ରେଟେରୀଙ୍କ ଚିଫ୍‌ ସେକ୍ରେଟେରୀ ଆସି ଘରେ ହାଜର । କହିଲେ- ‘‘ଚିଙ୍ଗୁଡ଼ି-ସମିତି’’କୁ ଲିଖିତ ଭାଷଣ ଦେବାକୁ ହେବ । ମନ୍ତ୍ରୀ କଲମ ଧରିଛନ୍ତି, ତେଣୁ ପ୍ରାଇଭେଟ୍‌ ସେକ୍ରେଟେରୀ ଫୋନ୍‌ରେ ଡାକିଲେ - ‘‘ନର୍ଦ୍ଦମା-ସଫେଇକରଣ-ପରିଷଦ’’ର ତିନିଜଣ ମେମ୍ବର ଡେପୁଟେସନ୍‌ ନେଇ ଅପେକ୍ଷା କରିଛନ୍ତି । ସେମାନଙ୍କୁ ଦଶଟା ସମୟ ଦିଆଯାଇଛି । ଏହାଛଡ଼ା ‘‘ପକ୍ଷୀପାଳନ-ପ୍ରଚାର ଦଳ’’ର ସେକ୍ରେଟେରୀ ଆପଣଙ୍କ ସହକାରୀ ସେକ୍ରେଟାରୀଙ୍କ ଆସିଷ୍ଟାଣ୍ଟ ସେକ୍ରେଟେରୀଙ୍କଠାରୁ ଏଗାରଟାବେଳେ ସାକ୍ଷାତ ଲାଗି ଅପେକ୍ଷା କରିଛନ୍ତି । ଏଣେ ଦୁଇଟା ଦୈନିକ କାଗଜର ସମ୍ପାଦକ ‘‘ଖତ ବିଲ୍‌’’ ସମ୍ପର୍କରେ ବୁଝିବାପାଇଁ ବସିଛନ୍ତି । ଏହାଛଡ଼ା ରାଜମହେନ୍ଦ୍ରୀର ଜଣେ ଭଦ୍ରଲୋକ ଆସି ସାକ୍ଷାତ ମାଗୁଛନ୍ତି । ତାଙ୍କ ଆପତ୍ତି ହେଉଛି ଯେ ତାଙ୍କର କିଏ ଜଣେ ଗୁଣ୍ଟୁରୁ ଜିଲ୍ଲାରେ ଥିବା କକେଇ ଏ ପର୍ଯ୍ୟନ୍ତ ଡୋମିସାଇଲ୍‌ ସାର୍ଟିଫିକେଟ୍‌ ପାଇନାହାନ୍ତି । ତାଙ୍କ ସାକ୍ଷାତ ପାଇଁ ସାଢ଼େ ବାରଟା ସମୟ ଠିକ୍‌ହେବ କି ?
 

ଏଣେ ମନ୍ତ୍ରୀ କ’ଣ କରିବେ କିଛି ଠିକ୍‌ କରି ପାରିନାହାନ୍ତି । ତେଣେ ଶୁଣାଗଲା - ପାଣି ଥଣ୍ଡା ହେଲା । ଗାଧୁଆ ଘରକୁ ଉଠିଯିବା ପୂର୍ବରୁ ଦରଜି ଆସି କହିଲା, ଏହିକ୍ଷଣି ପଞ୍ଜାବି ମାପ ନ ନେଲେ ଚାରିଟାବେଳେ ‘‘ନାରୀସେବାସଂଘ’’ର ଚା’ ଭୋଜି ସମୟକୁ ସେ ପୋଷାକ ଦେଇପାରିବନାହିଁ । ସେ ମାପ ନେବାକୁ ବସିଛି, ଭଣ୍ଡାରି ଆସିଲା ବାଳ କାଟିବାକୁ । କହିଲା, ଦୁଇଦିନ ତଳୁ ବରାଦ ଦିଆଯାଇଥିଲା ।

 

ମନ୍ତ୍ରୀ କିଛି ଠିକ୍‌ କରିପାରିଲେ ନାହିଁ । ଦରଜିକୁ ଆନୁମାନିକ ମାପ କହି, ଭଣ୍ଡାରିକୁ ସନ୍ଧ୍ୟା ସାତଟାରେ ବାଳ କାଟିବାକୁ ବରାଦ ଦେଇ ବିନା ତେଲ-ମାଲିସରେ ଥଣ୍ଡାପାଣିରେ ଗୋଧୋଇ ତା ପରେ ଅଫିସକୁ ଆସିଲେ ।

 

ଏପରି ସମୟରେ ଷ୍ଟେନୋ ଆସି ପ୍ରୋଗ୍ରାମ୍ ପ୍ରକାରେ ହାଜର । ଗତଦିନ ଦୈନିକରେ ବାହାରିଥିବା ଏକ ଖବରର ପ୍ରତିବାଦ ଦେବାକୁ ହେବ । ସରକାରଙ୍କ ‘‘ସର୍ବୋଚ୍ଚ ଦରମା ବିଲ୍‌’’ ର ଏ ପ୍ରତିବାଦ । ଷ୍ଟେନୋକୁ ଏ ପ୍ରତିବାଦ ଡାକିବା ମଝିରେ ମନ୍ତ୍ରୀଙ୍କ ମନ ଭିତରେ ତିନିଟା ଗୁରୁତର ସମସ୍ୟା ଆସି ପଡ଼ିଲା –

 

(୧) ଅର୍ଥମନ୍ତ୍ରୀଙ୍କ ପ୍ରାଇଭେଟ୍‌ ସେକ୍ରେଟେରୀଙ୍କ ଆସିଷ୍ଟେଣ୍ଟ ସେକ୍ରେଟେରୀ ଫୋନ୍‌ରେ ଡାକି କହିଲେ, ‘ଗୁଡ଼ ପ୍ରଚାର ସଭା’ ର ପ୍ରତିନିଧିମାନଙ୍କ ଡେପୁଟେସନ୍‌ଦଳକୁ ଏଗାରଟା ତିନି ମନିଟ୍‌ରେ ସାକ୍ଷାତ୍‌ଦେବାପାଇଁ ମୁଁ ଅନୁରୋଧ କରୁଛି ।

 

(୨) ପ୍ରଧାନ ସେକ୍ରେଟାରୀଙ୍କ ଆସିଷ୍ଟେଣ୍ଟ ସେକ୍ରେଟାରୀଙ୍କ ସେକ୍ରେଟାରୀ ଫୋନ୍‌କଲେ-‘ଗଞ୍ଜାମ ବିପତ୍ନୀକ ମଣ୍ଡଳୀ’ର ସହକାରୀ ସମ୍ପାଦକ ସାଢ଼େ ଏଗାରଟାରେ ଦେଖାକରି ବିପତ୍ନୀକମାନଙ୍କ ଦୁଃଖ ଜଣାଇବାଲାଗି ଗତ ତିନିଦିନ ତଳୁ ସ୍ଥିର ହୋଇଛି ।

 

(୩) ବାରିକମିସ୍ତ୍ରୀ ବିଭାଗ ମନ୍ତ୍ରୀଙ୍କ ସାମୟିକ ସେକ୍ରେଟାରୀଙ୍କ ସହକାରୀ ସେକ୍ରେଟାରୀଙ୍କ ଡେପୁଟି ଆସିଷ୍ଟେଣ୍ଟ ସେକ୍ରେଟାରୀ ଫୋନ୍‌କଲେ - ‘ପ୍ରେମବିଦଗ୍ଧ ସଂଘ’ର ଅବିବାହିତ ଶାଖାର ସମ୍ପାଦିକା ଓ ସମ୍ପାଦକ ଠିକ୍‌ବାରଟା ପଞ୍ଚଚାଳିଶି ମିନିଟିରେ ସେମାନଙ୍କ ମେମୋରାଣ୍ଡମ୍‌ ଦେବାକୁ କଥା ଦିଆହୋଇଛି । ଯୁଦ୍ଧପର ଯୋଜନା ଭିତରେ ଏହା ନିଆଯିବ କି ନାହିଁ ପରାମର୍ଶ ଦିଅନ୍ତୁ !

 

ଏଥିରୁ ଜଣାଗଲା ଯେ ମନ୍ତ୍ରୀ ମହାଶୟଙ୍କ ଦେଖାସାକ୍ଷାତ୍, ଅଭିନନ୍ଦନ, ମେମୋରାଣ୍ଡମ୍‌ ଗ୍ରହଣରେ ଗୋଟାଏ ଘୋର ସଂଘର୍ଷ ପହଞ୍ଚିବ । ସେ ଏପାଖ ସେପାଖ ଭାବି କ’ଣ ପ୍ରୋଗ୍ରାମ ଠିକ୍‌ କରିବାକୁ ଯାଉଛନ୍ତି, ନିଜ ପ୍ରାଇଭେଟ୍‌ ସେକ୍ରେଟେରୀ ଆସି ପଚାରିଲେ - ‘‘ଅଗ୍ନିମାନ୍ଦ୍ୟ ପୋଷ୍ଟମେନ୍‌ ଆସୋସିଏସନ୍‌’, ‘ଯାଦୁଗ୍ରସ୍ତ-କବିରାଜୀଦଳ’ ଓ ‘ବେକାର ହୋମିଓପ୍ୟାଥିକ ଡାକ୍ତର ସଂଘ’ ସମ୍ପର୍କରେ କଣ କରିବାକୁ ହେବ, କହନ୍ତୁ ।’’

 

ପୁଣି ସବୁ ବିଗିଡ଼ି ଗଲା । ମନ୍ତ୍ରୀ ଟେବୁଲର ଫାଇଲ୍‌, ଖଟ ଉପରର କାଗଜପତ୍ର, କାମିଜ ପକେଟ୍‌ ଖାଲି ଦରାଣ୍ଡି ଦରାଣ୍ଡି ପଚାରିଲେ - ଚଷମା କୁଆଡ଼େ ଗଲା ? ସେତେବେଳେ ଆଉ ଯଦି କିଏ ଆସି କଣ ପଚାରିଥାନ୍ତା, କହିଥାନ୍ତେ - ମୁଁ ବର୍ତ୍ତମାନ ଭାରି କାର୍ଯ୍ୟବ୍ୟସ୍ତ, ଏହିକ୍ଷଣି କିଛି ପଚାରନାହିଁ । ଏହିପରି ସମୟରେ ତାର ଆସିଲା - କଲିକତାକୁ ଦୁଇଲକ୍ଷ ମହଣ ଚାଉଳ ଦେବା ସମ୍ପର୍କରେ ବିଚାର କରିବାପାଇଁ ଆକାଶ-ମାର୍ଗରେ ଆସ ।

 

ମନ୍ତ୍ରୀଙ୍କର ସବୁ ପ୍ରୋଗ୍ରାମ, ସବୁ ଅଭିନନ୍ଦନ, ସବୁ ମେମୋରାଣ୍ଡମ୍‌, ସବୁ ଦେଖାସାକ୍ଷାତ ପଛକୁ ରହିଲା । ସେ ଚାଲିଲେ ଏରୋଡ୍ରମକୁ ସବୁଠାରୁ ଗୁରୁତର କାମରେ !!!

***

 

ତମ ପକେଟ ରହସ୍ୟ

 

ବୁଜୁଳା, ମୁଣା, ଖିସା, ବ୍ୟାଗ୍‌, ଗାଞ୍ଜିଆ, ବଟୁଆ, ପକେଟ୍‌ ଏ ସବୁ ଏକ ଜାତିର ଜିନିଷ । ଆକାର ଭେଦରେ କିଏ ବଡ଼, କିଏ ସାନ, ଆଭିଜାତ୍ୟରେ କିଏ ଉଚ୍ଚ, କିଏ ନୀଚ; ସ୍ଥାନଭେଦରେ କିଏ କାନ୍ଧରେ ବସେ, କିଏ ହାତରେ ଓହଳେ, କିଏ ଅଣ୍ଟାରେ ଧହଳେ, କିଏ ପୋଷାକ ଦେହରେ ଲାଗିରହେ, କିଏ ବା ଛାତିରେ ମିଶି ରହେ । ଯେତେବେଳେ କୋଟ୍‌କାମିଜର ଚଳନ ନଥିଲା ବୁଜୁଳା, ମୁଣା, ଖିସାରେ ଲୋକେ କାମ ଚଳାଇ ନେଉଥିଲେ । କୋଟ୍‌କାମିଜ ବିକାଶ ସଙ୍ଗେ ସଙ୍ଗେ ପକେଟ୍‌ରେ ସୃଷ୍ଟିର ପଛେ ପଛେ ‘ପକେଟମାରୁ’ ଜାତିର ଆବର୍ଭାବ ।

 

ଭଦ୍ର ବୋଲି ଯେ ନିଜକୁ ମନେ କରେ କିମ୍ବା ଭଦ୍ରାମି ଆଡ଼କୁ କେବଳ ପୋଷାକ ସାହାଯ୍ୟରେ ଗତି କରିହେବ ବୋଲି ଯାହାର ବିଶ୍ୱାସ - ଏ ସମସ୍ତଙ୍କର ପକେଟ୍‌ଅଛି ନିଶ୍ଚୟ । ଯେଉଁଠି କୋଟ୍‌-କାମିଜ, ସେଇଠି ପକେଟ୍‌ ।

 

ଜ୍ୟୋତିଷମାନେ କର, କପାଳ, କୋଷ୍ଠୀ ଦେଖି ଲୋକର ଚରିତ୍ର ନିର୍ଣ୍ଣୟ କରିପାରନ୍ତି । କିଏ କିଏ ହସ୍ତାକ୍ଷରରୁ ଲୋକଚରିତ୍ର ଜାଣନ୍ତି । କଥାବାର୍ତ୍ତା, ଆଳାପ ଆଲୋଚନାରୁ ମଧ୍ୟ ଲୋକର ଆଚାର ବ୍ୟବହାର ଜଣାପଡ଼େ; ମାତ୍ର ଲୋକର କବେଳ ପକେଟ୍‌ ଦେଖି ଯେ ଚରିତ୍ର ବୁଝିହେବ ଏକଥା ସମସ୍ତେ ଜାଣନ୍ତିନାହିଁ । ଏଥିରୁ ବୁଝିବାକୁ ହେବ ନାହିଁ ଯେ ପକେଟମାରୁର ପକେଟ୍‌ଦେଖି ତାର ଚରିତ୍ର ଜାଣିହେବ । କାରଣ ତା ପକେଟ୍‌ରେ କେତେ ଲୋକଙ୍କର କେତେ କିସମର ଜିନିଷ ଥିବ । ସେପରି ପକେଟ୍‌ର ଲକ୍ଷ୍ୟଟା ଅଲଗା । ବିଡ଼ି ଖିଆଳି ପକେଟ୍‌ରେ ବିଡ଼ି ଦିଆସିଲି, ପାନ ଖିଆଳି ପକେଟ୍‌ରେ ପାନ ଡିବା, କିରାଣି ପକେଟ୍‌ରେ କାଗଜପେନ୍‌ସିଲ, ଅଫିମା ପକେଟ୍‌ରେ ଅଫିମକରାଟ, ଗଞ୍ଜଡ଼ ପକେଟ୍‌ରେ ଚିଲମ ଇତ୍ୟାଦି । କାହା ପକେଟ୍‌ରେ କ’ଣ ଥାଇପାରେ; ମାତ୍ର ପକେଟ୍‌ମାରୁ ପକେଟ୍‌ରେ ଏସବୁ ଏକାଠି ରହିପାରନ୍ତି ।

 

ପକେଟ୍‌ ବିଷୟ ଆଲୋଚନା କରିବାକୁ ଗଲାବେଳେ ଏ ସାମ୍ୟ ମୈତ୍ରୀ ସ୍ୱାଧିନତା ଯୁଗରେ ଚିନ୍ତା କରିବାକୁ ପଡ଼େ ଯେ ସମାଜର ଗୋଟାଏ ଅଙ୍ଗ ଏପରି ପୋଷାକର ଅଧିକାରୀ ଯେ, ସେଥିରେ ପକେଟ୍‌ର ସ୍ଥାନ ନାହିଁ । ଏମାନେ ହେଉଛନ୍ତି ‘ନାରୀ’ । ସେହି କାରଣରୁ ଆଧୁନିକ ଶିକ୍ଷିତାଗଣ ହାତରେ ‘ଭାନିଟି ବ୍ୟାଗ୍‌’ ଧରି ଯିବାଆସିବା କରନ୍ତି । ପିନ୍ଧିବା ଶାଢ଼ୀରେ, ଶାଢ଼ୀର କାନିରେ, ଧଡ଼ିରେ, ମୁହଁରେ ପକେଟ୍‌ରେ ସୁବିଧା ଥିଲେ ସେମାନେ ଯେ ‘ପକେଟ୍‌ବତୀ’ ହୋଇ ନଥାନ୍ତେ ଏପରି ନୁହେଁ । ଏଇ ଅସୁବିଧା ନଥିଲେ ସେମାନେ ଗ୍ରାମ୍ୟ ସମ୍ମିଳନୀଠାରୁ ଆରମ୍ଭକରି ନିଖିଳଭାରତ ନାରୀସମ୍ମିଳନୀ ପର୍ଯ୍ୟନ୍ତ ସବୁଠାରେ ସବୁ ବିଷୟରେ ପୁରୁଷ ସହିତ ସମାନତା ଦାବି କଲାବେଳେ ଏଇ ପକେଟ୍‌ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦେଇଥାନ୍ତେ । ତେଣୁ ନାରୀ ପୁରୁଷ ସହିତ ଭବିଷ୍ୟତରେ ଯେତେ ସମାନ ଆସନ ଅଧିକାର ଦାବି କରୁ ପଛକେ, ସେମାନେ ଯେ ‘ପକେଟ୍‌ହୀନା’ ଏ ଅପବାଦରୁ ରକ୍ଷା ପାଇବେ ନାହିଁ । ହୁଏତ ସେତେବେଳେ ସେମାନେ ଏଇ ଗୋଟାଏ ଯୁକ୍ତି ଦେଇପାରନ୍ତି - ‘ଆମେ ନିଜେ ଗୋଟାଏ ଗୋଟୋଏ ପକେଟ୍‌, ଯେଉଁଥିରେ ବି ପୁରୁଷର ପକେଟ୍‌ସହିତ ପୁରୁଷକୁ ରଖିପାରୁ !’ ଆଜିକାଲି ଯୁଗରେ ପକେଟ୍‌ରେ ରହିପାରିବା ଭଳି ବହିପତ୍ର ପ୍ରକାଶିତ ହେଉଚି । ନାମ ଦିଆଯାଉଛି, ‘ପକେଟ୍‌ସଂସ୍କରଣ’ । ସେ ହିସାବରେ ପୁରୁଷ ଯେ ନାରୀର ‘ପକେଟ୍‌ସଂସ୍କରଣ ଜୀବଏଥିରେ କିଛି ସନ୍ଦେହନାହିଁ ।

 

ମୋର ଜଣେ ବନ୍ଧୁଙ୍କ ପିତାଙ୍କର ଗୋଟିଏ କୋଟ୍‌ ଥିଲା । ପିତାଙ୍କ ପରଲୋକ ପରେ ସେ’ଟା ବାଜ୍ୟାପ୍ତି ହୋଇ ବନ୍ଧୁଙ୍କ ହାତକୁ ଆସିଲା । ଦେଖାଗଲା, ସେଇ କୋଟ୍‌ଭିତରେ ବାରଟା ପକେଟ୍‌ ଥିଲା । ସେଥିରୁ ପାଞ୍ଚଟା ଥିଲା ବାହାରକୁ, ବାକି ସବୁ ଭିତରେ । କେଉଁଟାରେ ଛୁଞ୍ଚି ଓ ସୂତା, କେଉଁଟାରେ ବଜାର ସଉଦାର ହିସାବଖାତା, କେଉଁଟାରେ ବହୁଦିନ ତଳର ଦୁଇ-ଚାରିଟା ପାନଖିଲ, କଷାଗୁଆ, ହରିଡ଼ାପୋଡ଼ା ଓ ଅଏଁଳା । ଗୋଟାକରେ ଥିଲା ଦୁଇଟା ଖେଳଣା । ତାହା ବୋଧହୁଏ ସେ ତାଙ୍କ ନାତିପାଇଁ ଆଣିଥିଲେ । ପକେଟ୍‌ ବାହୁଲ୍ୟ ଯୋଗୁଁ ଖୋଜି ପାଇନଥିଲେ । ଆଉ ଗୋଟାକରେ ଥିଲା କିଛି କୁଇନାଇନ୍‌ବଟିକା, ଗୋଟିଏ ଅତି ଛୋଟ ଶିଶିରେ ସାମାନ୍ୟ ଆଓଡିନ୍‌, ଦୁଇ-ଚାରିଟା ଖଡ଼ିକା ଓ ମେଞ୍ଚାଏ ତୁଳା । ତାକୁ ଦେଖି ମନେହେଲା ତାହା ଗୋଟିଏ ଛୋଟ ପକେଟ୍‌ ଡାକ୍ତରଖାନା ! ଗୋଟାଏ ପକେଟ୍‌ରେ ଥିଲା ପ୍ରାୟ ଏକ ଇଞ୍ଚିରୁ ତିନିଇଞ୍ଚ ଲମ୍ବର ସାତଟା ପେନ୍‌ସିଲ ଓ ଗୋଟିଏ ଛୋଟ ଛୁରୀ । ମୋଟାମୋଟି କହିବାକୁ ଗଲେ ସେହି ପୁରୁଣା କୋଟ୍ ଟି ବାରଟି ପକେଟ୍‌ଯୁକ୍ତ ଏକ ଚଳନ୍ତି ପ୍ରଦର୍ଶନୀ !!

 

ମୁଁ ଦେଖିଛି, ମୋର ଆଉ ଜଣେ ପୁରୁଣା ବନ୍ଧୁଙ୍କ ପୁରୁଣା କୋଟ୍‌ ପକେଟ୍‌ରେ କୁକୁଡ଼ା ଅଣ୍ଡାର ଖୋଳ ଥିଲା । ତାହା ଏତେ ଗହୀରରେ ମଇଳା ଭିତରେ ଥିଲା ଯେ ମନେହେଲା ବୋଧହୁଏ ସେହି ଭିତରେ ସେ କୁକୁଡ଼ା ଚାଷ କରୁଥିଲେ; କୁକୁଡ଼ା କାଳକ୍ରମେ ଚାଲିଯିବାପରେ ସେ ଆଉ ତାହା ସଫା କରିନାହାନ୍ତି । ତାହା କେବଳ ପ୍ରତ୍ନତାତ୍ତ୍ୱିକମାନଙ୍କ ବିଚାରର ବସ୍ତୁ ।

 

ପକେଟ୍‌ର ଉପଯୋଗିତା ଏ ଯୁଗର ସଭ୍ୟଶ୍ରେଷ୍ଠ ଆଇନଜୀବୀ ଓକିଲ, ମୁକ୍ତ୍ୟାରମାନେ ଯେପରି ବୁଝନ୍ତି, ଅନ୍ୟ ସେପରି କିଏ ବୁଝନ୍ତି ନାହିଁ । ବେଳେବେଳେ ଭଗବାନଙ୍କୁ ଦୋଷ ଦେବାକୁ ହୁଏ ଯେ ସେ ସବୁ ମଣିଷଙ୍କ ସହିତ ସମାନ କରି ଓକିଲ-ମୁକ୍ତ୍ୟାରଙ୍କୁ କାହିଁକି ଦୁଇଟା ହାତ ଦେଲେ-? ଯଦି ଭଗବାନଙ୍କ ଖାତାରେ ହାତର ନିର୍ଦ୍ଦିଷ୍ଟ କଣ୍ଟ୍ରୋଲ ଥିଲା, ତେବେ ଅନ୍ୟଆଡ଼ୁ, ମଫସଲ ଆଡୁ ତାହା କମାଇ ‘କୋଟା’ଟା ସହରଆଡ଼କୁ - ଓକିଲ-ମୁକ୍ତ୍ୟାରଙ୍କ ଆଡ଼କୁ କାହିଁକି ବେଶୀ ନ ଦେଲେ ? ଯାହାର ବେଶୀ ଦରକାର, ସେ ତାହା ପାଇବା ହକ୍‌କଥା । ଭଗବାନଙ୍କ ନୀତିର ପ୍ରତିବାଦ କରି ଯେଉଁ ବିଶ୍ୱାମିତ୍ର ପକେଟ୍‌ ସୃଷ୍ଟିକଲେ, ସେଥିପାଇଁ ଓକିଲ ସଙ୍ଘ ତାଙ୍କୁ ଧନ୍ୟବାଦ ଦିଅନ୍ତି । ଓକିଲ-ମୁକ୍ତ୍ୟାରଙ୍କ ଦୁଇଟା ହାତ ଓ ମହକିଲ - ଏ ମଧ୍ୟରେ ମଧ୍ୟବର୍ତ୍ତୀ ସମାଧାନ କ୍ଷେତ୍ର ହେଉଚି ‘ପକେଟ୍‌’-। ମୋର ଜଣେ ଓକିଲ ବନ୍ଧୁଙ୍କ ଠାରୁ ଶୁଣିଚି, ସାଧାରଣ ରୀତିରେ ତାଙ୍କ କୋଟ୍‌ରେ ପକେଟ୍‌ଥିଲେ ମଧ୍ୟ କୋଟ୍‌ର ପଛପଟରେ ଦି’ଚାରିଟା ପକେଟ୍‌ରଖିବାକୁ ତାଙ୍କର ଇଚ୍ଛା ହୁଏ, କେବଳ ପକେଟମାର୍ ଭୟରେ ସେ ତାହା କରିପାରି ନାହାନ୍ତି ।

 

ଶିକ୍ଷାକ୍ଷେତ୍ରରେ ପକେଟ୍‌ର ସ୍ଥାନ ଖୁବ୍‌ ଉଚ୍ଚରେ । ଶିକ୍ଷକ କ୍ଳାସ୍‌କୁ ଗଲାବେଳେ ବହିପତ୍ର ହାତରେ ଧରିଥାନ୍ତି; ମାତ୍ର ପକେଟ୍‌ରୁ ରବର, ପେନ୍‌ସିଲ୍‌, ଛୁରୀ, କାଗଜ ବାହାର କରନ୍ତି ଏବଂ ଫେରିଲାବେଳେ ତାହା ଭିତରେ ତାକୁ ସବୁ ନିରାପଦରେ ରଖି ପାରନ୍ତି । ଆଗେ ପଣ୍ଡିତ ମହାଶୟମାନଙ୍କର ନାସଦାନି ଅଣ୍ଟାରେ ଚିପି ହେଇ ରହୁଥିଲା, ଏବେ ତାହା ପକେଟ୍‌ରେ ପ୍ରଶସ୍ତ ଗର୍ଭରେ । ଶିକ୍ଷକ କ୍ଳାସ୍‌ରେ ବ୍ଳାକ୍‌ବୋର୍ଡ ପାଖେ ଆଡ଼ହୋଇ ଶିକ୍ଷାଦାନ କଲାବେଳେ କ୍ଲାସ୍‌ର ମନୋଯୋଗୀ ଛାତ୍ର ଯେ ଅମନୋଯୋଗୀ ଭାବରେ ଚିନାବାଦାମ ବାହାର କରି ଚିପେ, କେବଳ ତାହା ପକେଟ୍‌ ପ୍ରସାଦରୁ ।

 

ସର୍ବୋପରି କହିବାକୁ ଗଲେ ପକେଟ୍‌ର ମାରତ୍ମକତାଠାରୁ ଉପଯୋଗିତା ବେଶି । ଏ କଣ୍ଟ୍ରୋଲ ଯୁଗରେ ସପ୍ଲାଇ କର୍ମଚାରୀଙ୍କ ଗସ୍ତଟା ପକେଟ୍‌ ଅଭାବରେ ନିତାନ୍ତ ନୀରସ ହୋଇଥାନ୍ତା; ‘ପଡ଼ି କମିଟି’ ପ୍ରେସିଡ଼େଣ୍ଟଙ୍କଠାରୁ ଆରମ୍ଭ କରି ମେମ୍ବରମାନଙ୍କ ପର୍ଯ୍ୟନ୍ତ ହାତଗୁଞ୍ଜି (ଯେପରି ମୁଣ୍ଡଗୁଞ୍ଜି) ଠିଆହେବାକୁ ସ୍ଥାନ ନଥାନ୍ତା । ତେଣୁ ଆଧୁନିକ ଯୁଗର ଏଇ ଲେଖକ ପ୍ରାଚୀନ ଯୁଗର ସେଇ ପୁରୁଣାକାଳିଆ ଗୀତର ଶ୍ଲୋକ ପୁଣି ଏଠାରେ ଆବୃତି କରୁଚି –

 

ପଶ୍ୟାମି ପାକେଟ ତବ ଦେବ ଦେହେ

ସର୍ବାଂସ୍ତଥା ଭୂତବିଶେଷସଂଘାନ୍‌,

ବ୍ରହ୍ମାଣମୀଶଂ କମଳାସନସ୍ଥଂ-

ମୃଷୀଂଶ୍ଚ ସର୍ବାନୁରାଗାଂଶ୍ଚ ବିଦ୍ୟାନ୍‌ ।

***

 

ପୁରୁଷ କାହାକୁ କହନ୍ତି ?

 

ଯେଉଁମାନେ ସ୍ତ୍ରୀଲୋକଙ୍କୁ ବିବାହ କରନ୍ତି, ସେମାନଙ୍କୁ ପୁରୁଷ କହନ୍ତି । ସ୍ତ୍ରୀଲୋକଙ୍କୁ ସ୍ତ୍ରୀଲୋକ କେବେ ବିବାହ ହୁଏନାହିଁ । ଏହାର ଆଉ ଏକ ପ୍ରମାଣ ହେଉଚି, ଅନେକ ପୁରୁଷଙ୍କୁ ପୁରୁଷ-ସିଂହ, ପୁରୁଷ-ଷଣ୍ଢ ବୋଲି ସମ୍ମାନର ସହିତ ଡକାଯାଏ । ଷଣ୍ଢ, ସିଂହ ଓ ପୁରୁଷ ସମସ୍ତେ ଏକ ଜାତୀୟ - ଏ କଥା ପାଠକମାନେ ଜାଣନ୍ତି ।

 

ପୁରୁଷମାନଙ୍କର ଦୁଇଟା ହାତ, ଦୁଇଟା ଗୋଡ଼, ଦୁଇଟା କାନ, ଗୋଟାଏ ନାକ, ବେଳେବେଳେ ଏକାଧିକ ଭାର୍ଯ୍ୟା ଥାଏ । ମାତ୍ର ସେମାନଙ୍କ ମନରେ ସବୁବେଳେ ଏକାଧିକ ଚିନ୍ତା । ଚକୁଳି, କାକରା, ଏଣ୍ଡୁରି, ମୁଢ଼ି, ଚୁଡା ସବୁ ଯେପରି ଗୋଟାଏ ଚାଉଳରୁ ଜାତ, ପୁରୁଷମାନେ ସେପରି ଗୋଟାଏ ଜିନିଷରେ ତିଆରି; ମାତ୍ର ପୁରୁଷ-ପୁରୁଷକେ ପ୍ରକାରଭେଦ ।

 

ପୁରୁଷମାନଙ୍କୁ ତିନି ପ୍ରଧାନ ଶ୍ରେଣୀରେ ବିଭକ୍ତ କରାଯାଇପାରେ; ଯଥା - ସ୍ୱାମୀ, ଅବିବାହିତ ଓ ରାଣ୍ଡୁରା । ‘ଅବିବାହିତ’ ପୁରୁଷ ସମାଜରେ ଗୋଟାଏ ରହସ୍ୟମୟ ଜୀବ । ସେ ନିଜେ ଯେପରି ଅମାନିଆ, ସେହିପରି ଲୋକଙ୍କ ଆଖିରେ ସନ୍ଦେହ-ଜାଲରେ ସବୁବେଳେ ଘେରା । ତାର ଗତିବିଧି କି ପ୍ରକାର, ସମସ୍ତେ ସନ୍ଦେହ କରନ୍ତି । ‘ସ୍ୱାମୀ’ ଗୋଟାଏ ବଳଦ । ମାତ୍ର କ୍ଷେତ୍ରଭେଦରେ ସେ ବଳଦର ପ୍ରକାରଭେଦ ଦେଖାଯାଏ । କେଉଁ ବଳଦ ସରକାରୀ କୃଷିଫାରମ ବଳଦ ପରି, କେଉଁ ବଳଦ ମୁନିସିପାଲଟିର ଗାଡ଼ିବୁହା ବଳଦ ପରି, କେଉଁଟା ବା ବାସୁଆ ବଳଦ - କିନ୍ତୁ ସମସ୍ତେ ପୁରୁଷ । ‘ରାଣ୍ଡୁରା’ ଯେ, ସେ ହେଲା ପାରିବାରିକ ଜୀବନର ଗୋଟାଏ ଚଳନ୍ତି ଗ୍ରାମ୍ପୋନ୍‌ ରେକର୍ଡ । ସେ ରେକର୍ଡ ଅନେକ ସମୟରେ ବାଜି ସ୍ୱାମୀ-ଜୀବନର ସୁଖ-ଦୁଃଖ, ହାସ୍ୟ କୌତୁକ, ଦୁଃଖ ଯନ୍ତ୍ରଣା, ମାନ ଅଭିମାନ ଖୋଲାଖୋଲି ଭାବରେ ସମାଜକୁ ଶୁଣାଏ । ‘ସ୍ୱାମୀ’ କୁ ପୁଣି ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା- ଯେ ଖୁଣ୍ଟିରେ ସବୁବେଳେ ବନ୍ଧାରହେ ସେ ପ୍ରଥମଶ୍ରେଣୀ, ଯେ ଖୁଣ୍ଟିରେ ବନ୍ଧାରହେ, ବାହାରକୁ ଯାଇ ଚରିବୁଲି ପୁଣି ଖୁଣ୍ଟିମୂଳକୁ ଆପେ ଆପେ ଆସେ ସେ ଦ୍ୱିତୀୟ ଶ୍ରେଣୀ; ବାକି ଯେ ଥରେ ଖୁଣ୍ଟିରୁ ଫିଟିଲେ ପୁଣି ଗୁହାଳକୁ ସହଜରେ ଆସେନାହିଁ, ବାହାରେ ଓଦା ଖାଏ, ସେ ହେଲା ତୃତୀୟ ଶ୍ରେଣୀ । ତେଣୁ ପୁରୁଷଙ୍କ ଭିତରୁ ବାଛି ବାଛି ଗୋଟାଏ ସ୍ୱାମୀ କାଢ଼ିବା ସହଜ ବ୍ୟାପାର ନୁହେ । ଆଧୁନିକ ସଭ୍ୟତାର ନବଗଠିତ କଳାଜ୍ଞାନ ସେଥିପାଇଁ ଆବଶ୍ୟକ । ସେଥିପାଇଁ ଦରକାର ବୈଜ୍ଞାନିକ ବିଚାର, ସାଧାରଣ ଜ୍ଞାନ, ବିଶ୍ୱାସ ଏବଂ ସର୍ବୋପରି ବଦନ୍ୟତା । ବିଶ୍ୱ-ଜଗତରେ ଏହା ଗୋଟାଏ ମନସ୍ତତ୍ତ୍ୱମୂଳକ ଅତି ବିଚିତ୍ର କଥା ଯେ ଗୋଟାଏ ନବନୀତ କୋମଳାଙ୍ଗୀ କ୍ଷୁଦ୍ର ଜୀବ ଗୋଟାଏ କଠୋର-କର୍କଶ-ବିଡ଼ି-ସିଗାରେଟ୍‌ଗନ୍ଧଯୁକ୍ତ ଜୀବକୁ ଚୁମ୍ବନ ଦେଇ ବା ତା’ଠାରୁ ଚୁମ୍ବନ ନେଇ ଆନନ୍ଦ ଅନୁଭବ କରେ ! ଏଇ ଶେଷୋକ୍ତ ଜୀବଟି ହେଉଛି ପୁରୁଷ ।

 

ଜୀବସୃଷ୍ଟିରେ ପୁରୁଷ ଗୋଟାଏ ବିଚିତ୍ର ଜୀବ । ନାରୀ ଯେବେ ତା ଆଡୁ ପୁରୁଷର ପ୍ରେମ ଆହ୍ୱାନ କରିବ ତେବେ ଶେଷରେ ପୁରୁଷ ତାକୁ ପ୍ରେମ ଦେବାରେ କ୍ଲାନ୍ତ ବୋଧକରି ଆଡ଼େଇ ହୋଇଯିବ; ନାହିଁ ଯଦି ପ୍ରେମାଭାସ ନ ଦେବ ତେବେ ପ୍ରଥମରୁ ସେ ଓହରି ରହିବ । ନାରୀ ଯେବେ ପୁରୁଷକୁ ସବୁ ବିଷୟରେ ବିଶ୍ୱାସ କରିବ, ତେବେ ସେ ଭାବିବ ନାରୀଟା ଖାଲି ଫମ୍ପା, ବିଚାରଶକ୍ତି ତାର ନାହିଁ । ତାର ସବୁ କଥାକୁ ଯେବେ ନାରୀ ଅବିଶ୍ୱାସ କରିବ, ତେବେ ସେ ହୃଦୟହୀନା, ରୂଢ଼ସ୍ୱଭାବା । ନାରୀ ଯେବେ ସବୁବେଳେ ଭଲ ବେଶବାସ ହେବ, ପୁରୁଷ ତାକୁ ହାଡ଼େ ହାଡ଼େ ସନ୍ଦେହ-ଚକ୍ଷୁରେ ଦେଖିବ; ନାହିଁ ଯଦି ନାରୀ ବେଶବାସରେ ମନ ନ ଦେବ, ତେବେ ପୁରୁଷ ତାକୁ ସାଙ୍ଗରେ ନେଇ ଅନ୍ୟ ସୁବସନା, ସୁହାସିନୀ, ସୁଶୋଭନା ମଣ୍ଡଳୀଙ୍କ ଆଡ଼କୁ ଆଖି ଫେରାଇ ତା ପ୍ରାଣରେ କଷ୍ଟ ଦେବ । ନାରୀ ଯଦି ଭୋଗବିଳାସରେ ମନ ଦେଇ ପୁରୁଷକୁ ସେ ଦିଗରେ ନେବ, ତେବେ ସେ ଯେ ପୁରୁଷକୁ ବିପଥରେ ନେଉଚି ଏ ଦୁର୍ନାମ ପାଇବ । ଯେବେ ବିଳାସ-ବ୍ୟସନ ଆଡୁ ତାର ମନ ଫେରାଇ ଆଣିବାକୁ ଚେଷ୍ଟା କରିବ, ତେବେ ପୁରୁଷ ମନେକରିବ ସ୍ତ୍ରୀଟା ଜଣେ ଅତି ନୀଚ, ଇତର, ଅନୁଦାର ଜୀବ ! ନାରୀ ଯେବେ ରକ୍ଷଣଶୀଳା ହେବ, ପୁରୁଷ କହିବ ତାର ବୁଦ୍ଧି ନାହିଁ; ନାହିଁ ଯେବେ ସେ ଆଧୁନିକ ହେବ, ପୁରୁଷ ମନେକରିବ ସେ ସୃଷ୍ଟିଛଡ଼ା ସର୍ବନାଶର ବାଟ । ନାରୀ ଯେବେ ସରଳା ହେବ, ତେବେ ପୁରୁଷ ଲୋଡ଼ିବ ତା ଥାନରେ ଜଣେ ଚତୁରୀ; ନାହିଁ ଯଦି ସେ ଅତି ବୁଦ୍ଧିମତୀ ହେବ ତେବେ ପୁରୁଷ ଇଚ୍ଛା ଜଣେ କମ୍‌ବୁଦ୍ଧିମତୀ ଯେ ତାର ଚାତୁରୀ ସହଜରେ ଅନୁମାନ କରି ନ ପାରିବ, ସେପରି ଏକ ସଂଗିନୀ । ତେଣୁ ବିଶ୍ୱ-ସୃଷ୍ଟିରେ ପୁରୁଷ ଜଣେ ବିଚିତ୍ର ଜୀବ ।

***

 

ତୁମେ କେବେ ଅପେକ୍ଷା କର ?

 

ତୁମେ କେବେ ଜୀବନର କାହାକୁ କେଉଁଠି ଅପେକ୍ଷା କରିଚ ? ଏ ପ୍ରଶ୍ନର ଉତ୍ତର ଦେବାକୁ ହେଲେ ତୁମକୁ ହୁଏତ ବହୁତ ଭାବିବାକୁ ପଡ଼ିବ; କାରଣ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦୈନନ୍ଦିନ କର୍ମର ପ୍ରତ୍ୟେକ ସ୍ତରରେ ତୁମକୁ ଏତେ ଥର ଅପେକ୍ଷା କରିବାକୁ ପଡ଼ିଥିବ ଯେ ଉତ୍ତର ଦେବାକୁ ବାଉଳି ହୋଇଯିବ । କେଉଁଟା କହିବ, କେଉଁଟା ନ କହିବ ହୁଏତ ଏ ପ୍ରକାର ଜଟିଳତା ମନରେ ଦେଖାଦେବ । ଏଇ ସ୍ୱାର୍ଥପର ସଂସାରଟା ଏପରି ଚକଟି-କମଟି ଆମର ଶରୀର ଓ ମନକୁ ଆକ୍ରମଣ କରି ରଖିଚି ଯେ ଜୀବନର ପ୍ରତ୍ୟେକ ସ୍ତରରେ ‘ଅପେକ୍ଷା’ ଛଡ଼ା ଆଉ ଉପାୟ ନାହିଁ । ଜଣେ ପଣ୍ଡିତ କହିଛନ୍ତି, ଅପେକ୍ଷାରେ ଯେତେ ସମୟ ନଷ୍ଟ ହୁଏ ସେପରି ଆଉ କୌଣସିଥିରେ ହୁଏନାହିଁ । ଆମର ସୌଖୀନ ରୁଚି, ଆମର ମଧୁର ସଜୀବ ଭାବନା ଅନେକ ସମୟରେ ଏଇ ଅପେକ୍ଷାରେ ହିଁ ନଷ୍ଟ ହୋଇ ଯାଇଥାଏ । ଜୀବନରେ ଥରକୁ ଥର, ଗୋଟାକୁ ଗୋଟା, କଥାକୁ କଥା ଅପେକ୍ଷା କରି କରି ବେଳେବେଳେ ଧୈର୍ଯ୍ୟଚ୍ୟୁତି ହୁଏ, ଉତ୍ସାହ କମିଯାଏ, ବେଳେବେଳେ ଭବିଷ୍ୟତ ବି ଅନ୍ଧକାରମୟ ଦିଶେ । ଜୀବନର କ୍ଷୁଦ୍ର ପରିସର ଭିତରେ ଅପେକ୍ଷାଟା ଏତେ ଦୀର୍ଘ, ଏତେ ବିରାଟ ଯେ ତାକୁ କଳ୍ପନା କରିବସିଲେ ମଣିଷ ଅବାକ୍‌ ହୋଇଯାଏ ।

 

ଜୀବନର ଗୋଟାଏ ଦିନର କଥା ଏଠାରେ କହିଲେ ଯଥେଷ୍ଟ ହେବ । ଧର, ସକାଳୁ ତୁମେ ଶେଯରୁ ଉଠିଲ । ଉଠିଲା ପରେ ତୁମେ ପାଇଖାନା ଯିବା ଦରକାର ପଡ଼ିଲା । ପାଇଖାନାକୁ ଆଗରୁ ଜଣେ କିଏ ଯାଇଛି; ତୁମ ସେଠାରେ ଅପେକ୍ଷା କଲ । ସେପରି ଅପେକ୍ଷା ଯେ କେତେ ବିରକ୍ତିଜନକ, ଅନୁଭବୀ ବିନା ଜାଣିପାରିବ ନାହିଁ । ଜଣେ ତ ଅପେକ୍ଷା କଲେ ବିରକ୍ତିଜନକ, ଯଦି ଦୁଇଜଣ ତ ଅପେକ୍ଷା କରିବେ ତାହା କେତେ ହାସ୍ୟାସ୍ପଦ, ବାସ୍ତବ ଘଟଣାର ଗୋଟାଏ କଥା ଏଠାରେ କହିଲେ ଚଳିବ । ପାଇଖାନାକୁ ଅପେକ୍ଷା କରିଥିବା ଦୁଇଜଣ ଭଦ୍ରଲୋକ, ପରସ୍ପର ପରସ୍ପରକୁ ନ ଚିହ୍ନିଲେ ମଧ୍ୟ ସମ୍ମାନ ଦେଖାନ୍ତି । ଦୁଇଜଣଯାକ ଏକେବେଳକେ ପାଇଖାନା ଯିବାକୁ ପଡ଼ିବାରୁ ଦୁହେଁ ଦୁଇଟା ଢାଳ ଧରି ଠିଆହୋଇ କଥାବାର୍ତ୍ତା ହେଲେ –

 

-‘‘ଆପଣ ଯାନ୍ତୁ’’

 

-‘‘ଆପଣ ଯାନ୍ତୁ’’

 

-‘‘ଆପଣ ଯାନ୍ତୁ’’

 

-‘‘ଆପଣ ଯାନ୍ତୁ’’

 

-‘ଆପଣ ଯାନ୍ତୁ’’

 

-‘‘ଆପଣ ଯାନ୍ତୁ’’

 

-‘‘ଏଥର ଆପଣ ଯା’ନ୍ତୁ; ମୋର ଯିବା ଆଉ ଏକ୍ଷଣି ଦରକାର ନାହିଁ । ମୋର ଯିବା କାର୍ଯ୍ୟ ହୋଇଗଲା ।’’

 

ଖାଲି ଯେ ଏଇ ଗୋଟାଏ ଘଟଣାରେ ଦିନକର ଅପେକ୍ଷା ସରିଲା ତା ନୁହେ, ତା ପରେ ଗାଧୋଇବାକୁ ପଡ଼ିବ । ଗାଧୋଇବା ଘରେ ଅନ୍ୟ କିଏ ଗାଧୋଉଛନ୍ତି, ତୁମେ ଚଞ୍ଚଳ ଗାଧୋଇ ନଗଲେ ତେଣେ ତୁମର କାର୍ଯ୍ୟ ନଷ୍ଟ, ଏପରିସ୍ଥଳେ ସେଠି ତୁମକୁ ଅପେକ୍ଷା କରିବାକୁ ହେଲା । ଏହି ଅପେକ୍ଷା ଫଳରେ ହୁଏତ ତୁମେ ତୁମର ବ୍ୟବସାୟର ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତ ହୋଇ ନପାରି କ୍ଷତିଗ୍ରସ୍ତ ହେଇ କିମ୍ବା ଗାଡ଼ି ଫେଲ୍‌ହୋଇ ମକଦ୍ଦମା ହରେଇଲେ, ଅଥବା ପୂର୍ବରୁ ନିର୍ଦ୍ଦିଷ୍ଟ ଥିବା ଚାକିରି ଆଶା ଛାଡ଼ିଲ ।

 

ନାହିଁ ଯଦି ତୁମେ ଗାଧୋଇ-ପାଧୋଇ ବଜାର-ସଉଦାକୁ ଗଲ, ଯାଇ ଦେଖିଲ ଦୋକାନ ଦୁଆରେ ଲୋକଭିଡ଼ । ଦେକାନୀ ତୁମକୁ ଚିହ୍ନିଲା ଏବଂ କହିଲା ବାବୁ, ଟିକିଏ ଅପେକ୍ଷା କର, ଏ ଗ୍ରାହକଗୁଡ଼ିକ ନ ନେଲେ ଫେରିଯିବେ । ସତେ ଯେପରି ତୁମେ ତାର ଗ୍ରାହକ ତାଲିକାରେ ନାହଁ, ସେଥିପାଇଁ ତୁମକୁ ଅପେକ୍ଷା କରିବାକୁ ହେଲା ।

 

ବଜାରରୁ ଆସିଲ ବିଳମ୍ବରେ; ମାତ୍ର ଦଶଟାବେଳକୁ ଠିକ୍‌ସମୟରେ କଚେରିକୁ ଯିବାକୁ ହେବ; ଅବଶ୍ୟ ତୁମେ ଯେବେ ଚାକିରି କରୁଥିବ । ଖାଇବା ସମୟ ହେଲା, ଘୁରୁ ହୁକୁମ ଆସିଲା ଭାତଟା ହୋଇ ତରକାରିଟା ବସିଚି; ଟିକିଏ ଅପେକ୍ଷା କର । ଅପେକ୍ଷା କଲ ବା ଚାରିଟା ପରେ ଅଫିସରୁ ଫେରି, ବିବାଦ ପାଇଁ ପ୍ରସ୍ତୁତ ରହି ଉପାସରେ ଅଫିସକୁ ଗଲ ।

 

ଏପରି ନ ହୋଇ ତୁମେ ଯେବେ ଦୂର ସ୍ଥାନକୁ ବସ୍‌ରେ ଯିବାକୁ ଥିବ, ତେବେ ଯିବ ବସ୍‌ଷ୍ଟାଣ୍ଡକୁ । ଠିକ୍‌ତୁମ ଆଖି ଆଗରେ ବସ୍‌ ଚାଲିଗଲା ଗୋଟାଏ, ତୁମେ ବସ୍‌ଷ୍ଟାଣ୍ଡରେ ଯାଇ ଅପେକ୍ଷା କଲ ଅନ୍ୟ ବସ୍‌କୁ । ସେ ଅପେକ୍ଷାର ବି ନିର୍ଦ୍ଦିଷ୍ଟ ସମୟ ଅଛି ?

 

ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିବାଟା ଥଟ୍ଟାର କଥା ନୁହେଁ । ଗୋଡ଼ଘୋଳା ମୁଣ୍ଡବ୍ୟଥା, କ୍ଷୁଧା ଆକ୍ରମଣରେ ସ୍ଥାନ ସେଇଟା । ଯଦି ଖରାଦିନ, ପାଖରେ ଛତା ନାହିଁ ତେବେ ତଳ ଉପର ତାତି; ଯଦି ବର୍ଷାଦିନ, ଛତା ନାହିଁ ତେବେ ପାଖ ଦୋକାନ ବରଣ୍ଡାରେ ବିଡ଼ିଖିଆଳିଙ୍କଠାରୁ ଆରମ୍ଭକରି ମଦପିଆଳିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଜଣେ ହୋଇ ଠିଆହେବାକୁ ପଡ଼ିବ ।

 

ତଥାପି ରକ୍ଷା ନାହିଁ । ଅଧଘଣ୍ଟାକ ପରେ ବସ୍‌ଆସିଲା । ବସ୍‌ ଏପରି ଭରପୂର ଯେ ଲୋକ ଦି’ପାଖେ ଓହଳିଛନ୍ତି ଏବଂ ଇଞ୍ଜିନ୍‌ ଉପରେ କ୍ଲିନର, କଣ୍ଡକ୍‌ଟର୍‌ ବସି ବସ୍‌ ଠିଆହେବା ଆଗରୁ କହୁଛନ୍ତି - ପଛରେ ଆଉ ଗୋଟାଏ ବସ୍‌ଆସୁଛି, ଅପେକ୍ଷା କର, ଏଥିରେ ସ୍ଥାନ ନାହିଁ । ତୁମେ ବସ୍‌ ଦେଖି ଦେଖି ଯେତିକି ଆନନ୍ଦ ପାଇଥିଲ ଏ ଘୋଷଣାରେ ତହୁଁ ବଳି ନୈରାଶ୍ୟରେ ବୁଡ଼ିଲ ।

 

ଯଦି ତୁମେ ଜଣେ ଶିକ୍ଷକ, ସେଠି ବି ତୁମକୁ ‘ଅପେକ୍ଷା’ ଛାଡ଼ିନାହିଁ । ଆଉ ଅଛି ଦୁଇ ମାସ ବାର୍ଷିକ ପରୀକ୍ଷା, ବହି ଶେଷ କଲେ ପିଲାଏ ପରୀକ୍ଷା ଦେବେ । ପିରିଅଡ଼ ଘଣ୍ଟା ବାଜିଲା । ତୁମେ କ୍ଲାସ୍‌ଦୁଆରେ ଅପେକ୍ଷା କରିଚ ପୂର୍ବ ପିରିଅଡ଼ର ଶିକ୍ଷକ କେତେବେଳେ ଫେରିବେ । ଦେଖୁ ଦେଖୁ ତୁମ ପିରିଅଡ଼ର ପନ୍ଦର ମିନିଟ୍‌ ଗ୍ରାସ କରି ସେ ଘରୁ ବାହାରିଲେ ।

 

ନାହିଁ ଯଦି ତୁମେ କୌଣସି ଅଫିସରେ କିରାଣି କାମ କର, ସେଠାରେ ‘ଅପେକ୍ଷା’ ର ମାରତ୍ମକତା କେଡ଼େ ବେଶୀ ଅନୁଭବୀ ଜାଣିପାରିବ । ଚାରିଟାବେଳେ ଅଫିସ ବନ୍ଦ ହେବାକଥା, ଫାଇଲପତ୍ର ପକାଇ ଦେଇ ବଡ଼ବାବୁ ଠିକ୍‌ ସାଢ଼େତିନିଟାରେ ତାଙ୍କ ବଡ଼ବାବୁଙ୍କ ପାଖକୁ ଗଲ; ଗଲାବେଳେ କହିଲେ - ଅପେକ୍ଷା କର, ଆସୁଚି । ସେ ଫେରିଲେ ସାଢ଼େ-ଛଅଟାରେ । ତୁମେ ଘରକୁ ସାତଟାରେ ଯାଇ ଦେଖିଲ ବଜାର-ସଉଦା ହୋଇନାହିଁ । ଘରେ ଚୁଲିଠାରୁ ଆରମ୍ଭକରି ଘରଣୀ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଚନ୍ତି । ତୁମେ କହିଲ ‘ଅପେକ୍ଷା’ କର, ଏକ୍ଷଣି ବଜାରରୁ ଆସୁଚି । ବଜାରକୁ ଯାଇ ‘ଅପେକ୍ଷା’ କଲ ଦୋକାନୀ ଦୁଆରେ, ସେ ତା’ର ପୁଅକୁ ଦୋକାନରେ ବସାଇଦେଇ ଯାଇଚି ହୋଟେଲକୁ ଚା’ ଖାଇ । ପୁଅ କହିଲା, ଟିକିଏ ‘ଅପେକ୍ଷା’ କର, ବାବା ଆସୁଚନ୍ତି । ହୋଟେଲବାଲା ତା ବାବୁକୁ କହିଲା, ଏକ୍ଷଣି ପାଣିଟା ଦେଇଚି, ଫୁଟିଯାଉ, ଚା’ ଦେଉଚି, ପାଞ୍ଚମିନିଟ୍‌ ‘ଅପେକ୍ଷା’ କର । ଏଇ ଯେ ଅପେକ୍ଷା-ଅପେକ୍ଷା-ଅପେକ୍ଷା ! ଏ ଅପେକ୍ଷା କରି ତୁମେ ଘରେ ପହଞ୍ଚି ଆଉ କାହାକୁ ଅପେକ୍ଷା ନକରି, ଘରଣୀର ଗର୍ଜନକୁ ଅପେକ୍ଷା ନ କରି ଶେଯରେ ପଡ଼ିଗଲ । କାରଣ, ଶୋଇପଡ଼ିବାଠାରୁ ମଧୁର ଆଉ କିଛି ନାହିଁ । ଶୋଇବାଦ୍ୱାରା କାହାକୁ ଅପେକ୍ଷା କରାଯାଏନାହିଁ; ବରଂ ସବୁ ଅପେକ୍ଷା ଭୁଲିଯିବାକୁ ହୁଏ ।

 

ଅପେକ୍ଷାରେ ସବୁଠାରୁ ମାରାତ୍ମକତା ହେଉଚି ପ୍ରେମପତ୍ର, ପ୍ରେମାଳାପ, ପ୍ରାଇମେରୀ ଶିକ୍ଷକଙ୍କ ଦରମା ପ୍ରାପ୍ତି, ଗାଡ଼ି ବିଳମ୍ବ । ପ୍ରେମପତ୍ର ନିର୍ଦ୍ଦିଷ୍ଟ ସମୟରେ ନ ଆସିଲା ତ ନିଜେ କି ବ୍ୟସ୍ତ, ପୋଷ୍ଟମ୍ୟାନ୍‌କୁ ପ୍ରତିଦିନ ପଚାରିବାଦ୍ୱାରା ସେ ବି ବିବ୍ରତ । ସ୍ୱାଧୀନ-ଭର୍ତ୍ତୃକାର ସଂକେତରେ ଯେ ଅପେକ୍ଷା କରିବାକୁ ହୁଏ, ସେ କଥା କବିମାନେ ଲେଖିଯାଇଚନ୍ତି । ପ୍ରାଇମେରୀ ଶିକ୍ଷକ ଦରମା ନ ପାଇ ଯେପରି ଅପେକ୍ଷା କରନ୍ତି, ସେ ଉଦ୍‌ବିଗ୍ନତା କେବଳ ଜାଣେ ଶିକ୍ଷକ ଏବଂ ଶିକ୍ଷକକୁ ଗାଁରେ ଧାର ଦେଇଥିବା ଲୋକ ।

 

ମୋଟାମୋଟି କହିବାକୁ ଗଲେ ‘ଅପେକ୍ଷା’ ଜୀବନର ବହୁମୂଲ୍ୟ ସମୟ ନଷ୍ଟ କରେ । ଜୀବନରେ କାମ କରିବା ସମୟଠାରୁ ଅପେକ୍ଷା କରିବାର ସମୟ ବେଶୀ । ଜଗତରେ ଏପରି ଜଣେ କିଏ ନାହିଁ, ଯେ କି କିଛି ନା କିଛି ପାଇଁ ଜୀବନରେ ଅପେକ୍ଷା ନ କରିଚି । କିଏ ରେଳକୁ ଅପେକ୍ଷା କରିଚି, କିଏ ବସ୍‌କୁ ଅପେକ୍ଷା କରିଚି, କିଏ ଦରମାକୁ ଅପେକ୍ଷା କରିଚି, କିଏ ଦଣ୍ଡାଦେଶକୁ ଅପେକ୍ଷା କରିଚି, କିଏ ପ୍ରଣୟିନୀକୁ ଅପେକ୍ଷା କରିଚି, କିଏ ପାଇଖାନାକୁ ଅପେକ୍ଷା କରିଚି ।

 

ଏ ଜୀବନରେ ଖାଲି ଅପେକ୍ଷା, ଅପେକ୍ଷା, ଅପେକ୍ଷା !!!

***

 

ଦେଶର ଗତି କେଉଁ ଆଡ଼କୁ ?

 

ଗବାନନ୍ଦ ଓ ସେବାନନ୍ଦ । ଏ ଦୁଇଟି ନାଁ ବାପ-ମା’ ଦେଇ ନଥିଲେ । ବାପ-ମା’ଙ୍କୁ ପରାସ୍ତ କରି ସଂସାରର ଖୋଲା ବଜାରରେ ଏମାନେ ଏ ନାଁ ଦୁଇଟି ଅର୍ଜନ କରିଛନ୍ତି ।

 

ଏକା ଗାଁର ଦୁଇଟି ପିଲା - ପିଲାଦିନର ଖେଳ ସାଥୀ, ଏକା ସ୍କୁଲର ସହପାଠୀ, ଶେଷରେ ଏକ ଅନୁଷ୍ଠାନର ସହକର୍ମୀରୂପରେ ଦୁଇଜଣ କାମ କଲେ । ଏଇ କାମ କରିବା ଭିତରେ ନିଜ ନିଜ ଯୋଗ୍ୟତାବଳରେ ଜଣେ ହେଲା ଗବାନନ୍ଦ ଓ ଜଣେ ହେଲା ସେବାନନ୍ଦ ।

 

ରାଜନୀତିର ଜୁଆର ଯେତେବେଳେ ଏ ଦେଶକୁ ମାଡ଼ିଆସିଲା, ଏ ଦୁଇଟି ଯୁବକ ସେଥିରେ ଭାସିଗଲେ । ଜଣେ ସୂତା କାଟିଲେ ଜଣେ ସୂତା କାଟି ନ ଜାଣି ଖାଲି ଛିଣ୍ଡେଇଲା, ଜଣେ ପ୍ରତି କଥାରେ ସମାଧାନ ଲୋଡ଼ିଲେ ଜଣେ ଲୋଡ଼ିଲା ବ୍ୟବଧାନ, ଜଣେ ଚିଡ଼ିଲେ ଜଣେ ସହିଲା - ଦେଖୁ ଦେଖୁ ସ୍ରୋତର ଗତିରେ ଦୁହେଁ ଦୁଇଆଡ଼େ ଚାଲିଗଲେ ।

 

ଏ ମଧ୍ୟରେ ଭାରତ ସ୍ୱାଧୀନ ହେଲା । ଜେଲ, ଲାଠି, ଜୋରିମାନା, ଦୁଃଖ, ଯନ୍ତ୍ରଣା ଭୋଗ କରି କର୍ମୀ ନେତା ହେଲେ, ନେତା ଚାଳକ ହେଲେ । ସ୍ୱାଧୀନତା ସ୍ରୋତରେ ଜେଲଫେରନ୍ତା ବୀରମାନଙ୍କ ମଧ୍ୟରୁ କିଏ ଭସିଯାଇ ଆସେମ୍ବ୍ଲିରେ ଲାଗିଲା ତ କିଏ ଜିଲା ବୋର୍ଡରେ ଲାଗିଲା । କିଏ ପଞ୍ଚାୟତ ବୋର୍ଡରେ ଲାଗିଲା ତ କିଏ ପଞ୍ଚଚାଳିଶ ଟଙ୍କିଆ-କୂଳରେ ଲାଗିଲା । କିଏ ଲାଗିଲା କଣ୍ଟ୍ରାକ୍‌ଟରୀରେ ତ କିଏ ଲାଗିଲା ସରକାରୀ କମିଟି ବନ୍ଧରେ । ଧଳାବଜାରରେ କିଏ ଲାଗିଲା ତ କିଏ ଲାଗିଲା କଳାବଜାରରେ । ଦେଖୁ ଦେଖୁ ସମଗ୍ର ଦେଶ ସ୍ୱାଧୀନତା ଉତ୍ସବରେ ମାତିଉଠିଲା । କିଏ ଜନସେବା କଲା ତ କିଏ ଧନସେବା କଲା, କିଏ ବା ସବୁ ଛାଡ଼ି ମାନ-ସମ୍ମାନ ସେବାକଲା ।

 

ଏହିପରି ସମୟରେ ଅନେକ କାଳ ପରେ ଦିନେ ଉକ୍ତ ଦୁଇ ବନ୍ଧୁଙ୍କର ହଠାତ୍‌ କଟକ ବାଲୁବଜାର ଛକରେ ଦେଖାହେଲା । ଦୁହେଁ ଆନନ୍ଦ-ଆତିଶଯ୍ୟରେ ପରସ୍ପର କୁଣ୍ଢାକୁଣ୍ଢି ହେଲେ । ସେବାନନ୍ଦ ପଚାରିଲେ - ‘‘କି ଗବାନନ୍ଦ ବାବୁ, ଅନେକ ଦିନ ପରେ ଆଜି ଦେଖା । ତୁମେ ତ ସବୁ ଛାଡ଼ିଥିଲ; ଆଜି ପୁଣି କଣ ଏ ଖଦଡ଼ ଧୋତି-ପଞ୍ଜାବିରେ ଭୂଷିତ ହେଲଣି ? ବ୍ୟାପରଟା କଣ ?’’

 

ଗବାନନ୍ଦ - ‘‘ଜାଣିଲ କି ସେବାନନ୍ଦବାବୁ, ମୁଁ ଏ ମଧ୍ୟରେ ସଂସାରଟାକୁ ବଡ଼ ଉଦାର ଚକ୍ଷୁରେ ଦେଖୁଚି । ଏ ମଧ୍ୟରେ ଛୋଟଲୋକ ବଡ଼ଲୋକ ହୋଇଛି, ଗରିବ ଧନୀ ହୋଇଚି, ଛୋଟ ଉତ୍କଳ ବିରାଟ ଉତ୍କଳ ହୋଇଚି; ତେଣୁ ମୁଁ ସେହି ଦୃଷ୍ଟିରୁ ଗୋଟାଏ ‘ବିରାଟ’ କାମରେ ହାତ ଦେଇଚି । କାମଟି ହେଉଚି- ‘ନିଖିଳ-ଉତ୍କଳ ସେବା ସଂଘ !’ ମୋର ଛୋଟ ଘର ଆଗରେ ବଡ଼ ଆକାରରେ ସାଇନ୍‌ବୋର୍ଡ ରଖିସାରିଲିଣି ମାସେ ହେଲା । ବର୍ତ୍ତମାନ ଚାନ୍ଦା ପାଇଁ ବାହାରିଚି । ଏ ବେଶ ନ ଥିଲେ ଚାନ୍ଦା ମିଳିବା ବଡ଼ କଷ୍ଟ । ତେଣୁ ମୋର ଉଦ୍ଦେଶ୍ୟଟା ବୁଝିପାରୁଥିବ !’’

 

ସେବାନନ୍ଦ କିଛି ସମୟ ଆଖି ବୁଜି କଣ ଚିନ୍ତା କରି କହିଲେ - ’’ସତେ ନା ! ଆଚ୍ଛା ପରେ କେବେ ଦେଖାହେବ।’’

 

ପୂର୍ବ ଘଟଣାର କିଛି ଦିନ ପରେ - ବଜାର ଭିତରେ ହଠାତ୍‌ ଗବାନନ୍ଦଙ୍କୁ ଦେଖି ସେବାନନ୍ଦ ଅଭିବାଦନ କରି ପଚାରିଲେ - ‘‘କି ଗବାନନ୍ଦାବୁ, ଆଜି ଖଦଡ଼ ଉପରେ ଏଣ୍ଡି ଚଦର ପକାଇଲଣି ! କଣ କିଛି. . .’’

 

ସେବାନନ୍ଦଙ୍କ କଥାକୁ ଅପେକ୍ଷା ନ କରି ଗବାନନ୍ଦ କହିଲେ - ‘‘ଭାଇ, ଆଜି ଗୋଟିଏ ମକଦ୍ଦମାର ତାରିଖ । ମୁଁ ସେଥିରେ ସାକ୍ଷୀ ଅଛି । କଥାଟା ବୁଝିପାରୁଥିବ । ସାକ୍ଷୀ ହେଲେ ବେଳେବେଳେ ଟିକିଏ ଏପାଖ ସେପାଖକରି କହିବାକୁ ପଡ଼େ । ଲୋକଟା ବଡ଼ ଅସୁବିଧାରେ ପଡ଼ିଚି । ମୋ’ରି କଥା ଉପରେ ତାର ଦଶହଜାର ଟଙ୍କା ନିର୍ଭର କରେ । ଏ ବେଶରେ ଗଲେ ହାକିମ ବୋଧହୁଏ ଅବିଶ୍ୱାସ କରିବନାହିଁ । ଥାନାରୁ ଗୋଟାଏ ସବ୍‌ଇନ୍ସପେକ୍ଟର୍‌ ଯାଇଚି ଯେ ମୋ କଥା ଆଦୌ ଶୁଣୁନାହିଁ । ଏହାଦ୍ୱାରା ତାକୁ ଶିକ୍ଷା ଦେବାକୁ ହେବ । କଥାରେ ପରା ଅଛି - ଭେକ ଥିଲେ ଭିକ ମିଳେ ।’’

 

ସେବାନନ୍ଦ ଏକଥା ଶୁଣି ଆକାଶକୁ ଚାହିଁ କ’ଣ ଚିନ୍ତା କଲେ । ତା ପରେ କହିଲେ - ‘‘ଆଚ୍ଛା; ଆଜି ଯାଉଚି ବନ୍ୟା ଅଞ୍ଚଳକୁ; ଫେରିଲେ କେବେ ଦେଖା ।’’

 

X x x

 

ପୂର୍ବ ଘଟଣାର କିଛିଦିନ ପରେ - ଦିନେ ରାଜରାସ୍ତାରେ ଗବାନନ୍ଦ ଖୁବ୍‌ ତରତରରେ ଯାଉଥିଲାବେଳେ ସେବାନନ୍ଦ ପଛରୁ ଡାକପକାଇ କହିଲେ - ‘‘ନମସ୍ତେ ! ନମସ୍ତେ ! ଏ ଦୌଡ଼ କେଉଁ ଆଡ଼କୁ ? ଦେଖୁଚି ତ ଅନେକ ବଦଳିଯାଇଚ - ଖଦଡ଼ କମିଜ ଉପରେ ଜହରଲାଲୀ ଜାକେଟ୍‌, ପୁଣି ମୁଣ୍ଡରେ ଟୋପି; ହାତରେ ମୁଣି । କଣ କାହାକୁ ମନ୍ତ୍ର କରିବାକୁ ଯାଉଚ ନା କଣ ? ବୋଧ ହୁଏ ନିଶ୍ଚୟ କିଛି ଗୋଟେ ବଡ଼ ରକମର . . . ’’

 

ସତେ ଯେପରି କିଛି ଗୋଟାଏ ଗୁରୁଭାର ମୁଣ୍ଡରେ ଆସି ପଡ଼ିଚି, ଏଇ ଭାବ ଦେଖାଇ ଗବାନନ୍ଦ ଅଧା ହସ, ଅଧା ଉଦ୍‌ବେଗରେ କହିଲେ - ‘‘ରହ, ରହ, ଭାଇ, ଆଜି ଆଉ କଥା ହେବାକୁ ବେଳ ନାହିଁ । ଲୋକଗୁଡ଼ାକ ଯେ ହଇରାଣ ହେଉଛନ୍ତି ସିମେଣ୍ଟ ଓ ଟିଣ ବିନା, ସେକଥା ମୁଇଁ କେବଳ ଜାଣେ । ଏଇ ପରା ସେକ୍ରେଟେରୀଏଟ୍‌କୁ ଯାଉଚି । ଗାଁର କପିଳା ଜେନା, ଜଗୁ ବାରିକ, ଅନନ୍ତା ସାହୁ, ସଦେଇ ତିଆଡ଼ି, କରୁଣି ପାହାନ, ବିଶିକା ବେଓ୍ୟା, ନାରଣ ମୁଣ୍ଡ, ଭଙ୍ଗୀ ଷଡ଼ଙ୍ଗୀ - ସମସ୍ତେ ପରା ଇଟା ପକାଇ ଘର ଭାଙ୍ଗି ଦେଇ ବସିଚନ୍ତି ଏଇ ଅପଦାର୍ଥଗୁଡ଼ାକୁ ଚାହିଁ ସିମେଣ୍ଟ, ଟିଣ ଦେବେ ବୋଲି ? ଏମାନଙ୍କୁ ଆଗେଇ ଚଳେଇବାକୁ କିଏ ହେଲେ ଲୋକ ଅଛି ? ଆଜି ମୁଁ ଗୋଟିଏ ଜିଦ୍‌କରି ଆସିଚି - ଦରିଦ୍ର-ନାରାୟଣ ସେବାକରି ଲୋକଙ୍କୁ ଥଇଥାନ କରାଇବି, ନହେଲେ ମଫସଲ ଛାଡ଼ି ସାକ୍ଷାତ ସମର ପାଇଁ ଆସେମ୍ବ୍ଲିରେ ପଶିବି । (ଟିକିଏ ହସିଦେଇ) ଆଜିକାଲି ତ ହେଲା ବେଶର ଯୁଗ ! ଏ ବେଶ ନ ଦେଖିଲେ ସେକ୍ରେଟେରୀ କାନରେ ତୁଳା, ଆଖିରେ ଅନ୍ଧପୁଟୁଳି ଓ ପାଟିରେ ଚୁଣ୍ଟା ମାଇଲା ପରି ରହିବ । କଣ କହୁଚ ? ତେଣୁ ଏଇ ବେଶରେ ଆଜି ମୋର ଏ ସେକ୍ରେଟେରୀଏଟ୍‌କୁ ଅଭିଯାନ !’’

 

ସେବାନନ୍ଦ କଣ କହିବେ ଠିକ୍‌କରି ପାରିଲେନାହିଁ । ତଳ ଉପରକୁ ଚାହିଁ ଗୋଟିଏ ଯୋଡ଼ହସ୍ତ ନମସ୍କାର କରି ପଦେ କହିଲେ - ‘‘ବେଶ୍‌ ତ !’’

 

ପୂର୍ବ ଘଟଣାର ଛଅ ମାସ ପରେ - ଦିନେ ଏକ ଥାନା-ପଶୁପ୍ରଦର୍ଶନୀ ମେଳାରେ ସେବାନନ୍ଦ ଜଣକୁ ଆଗରେ ଦେଖି ହଠାତ୍‌ ଚମକି ପଡ଼ିଲେ । ଥରେ ଦି’ଥର ଆଖି ମଳି କହିଲେ - ‘‘କି ଭାଇ, ତୁମେଟି କି ଗବାନନ୍ଦ !’’

 

ସେ ଲୋକଟି ମୃଦୁହାସ୍ୟ ହସି ସେବାନନ୍ଦଙ୍କୁ କୁଣ୍ଢେଇ ପକାଇ କହିଲେ - ‘‘ହଁ ଭାଇ, ମୁଁ ସେଇ ଗବା-ଗବା. . . ତୁମରି ଗବାନନ୍ଦ ।’’

 

ସେବାନନ୍ଦ ପଚାରିଲେ - ‘‘ତୁମର ଏ ବେଶ କ’ଣ ? ସେ ଘୁଷୁରୁଥିବା ଖଦଡ଼ କୁଞ୍ଚକାନି କୁଆଡ଼େ ଗଲା, ସେ ଧୋବଫରଫର ପେଣ୍ଡାଛୁଆଁ କାମିଜ ରଖିଲ କୁଆଡ଼େ, ସେ ଜହରଜାକେଟ, ସେ ଟୋପି ଦେଲ କାହାକୁ ! ଏ ଆଣ୍ଠୁଡିଆଁ ଖଧଡ଼, ଏ ମୋଟା ଚାଦର ପାଇଲ କେଉଁଠୁ ? ଏ ଲଣ୍ଡା ମୁଣ୍ଡ, ଏ ଅଣ୍ଟାରେ ଘଡ଼ି-ଖୋସା, ଏ ଚାଲୁ ଚାଲୁ ସୂତାକଟା ଅଭ୍ୟାସ କଲ କେଉଁଦିନୁ ? ସାକ୍ଷାତ ଦେଖୁଛି; ପୂରା ପରିବର୍ତ୍ତନ ।’’

 

ଗବାନନ୍ଦ ଟିକିଏ ଆତ୍ମସ୍ଥ ହେଲା ପରି ଠିଆରହି କହିଲେ - ‘‘ଭାଇ, ସବୁ ହୋଇଗଲା ଏଇ ଦୁଇ - ତିନିବର୍ଷ ଭିତରେ । ଆସେମ୍ବ୍ଲି ମେମ୍ବରଟିଏ ହେବାକୁ ବାକୀ ଅଛି । ଭୋଟ ପାଖେଇଆସିଲାଣି । କିଛିଦିନ ଚୁଡ଼ା ଗୁଡ଼ ଖାଇ ମଫସଲ ବୁଲି ଭାଗ୍ୟ ପରୀକ୍ଷା କରିବି । ସେଥିଲାଗି ଯୋଜନାମୂଳକ ଆନୁଷ୍ଠାନିକ କାମ ଆରମ୍ଭ କରି ଦେଇଚି । ତୁମେ ତ ଜାଣ, ମହତାବଜୀ କି ଭଳିଆ ଚାଲାକ ଲୋକ । ଆଗରୁ ସାବଧାନ ନ ହେଲେ ସବୁ ଭଣ୍ଡୁରୁ ହେବ ଯେ ! ସେଥିପାଇଁ ତାଙ୍କ ଆଖି ପଡ଼ିବା ସ୍ଥାନରେ ଦି’ଚାରି ଥର ଯିବାଆସିବା କଲିଣି । ତେଣେ ମଫସଲରେ ଦୁଇଟା ଯୋଜନାମୂଳକ ସଂଗଠନ ଆରମ୍ଭ କରିଦେଲିଣି । ସେଥିରୁ ଗୋଟାଏ ହେଉଚି, ଯେଉଁ ଟୋପି ଲାଗାଇବାକୁ ହେଉଚି ତାହା କନାରେ ନ ହୋଇ କାଠରେ କରିବାକୁ ହେବ-। ତାର ତଳପଟ ଯେପରି ଗହୀରିଆ ହୋଇ ମୁଣ୍ଡରେ ରହିବ, ତାର ଉପର ପାଖ ସେହିପରି ଖାଲୁଆ ହୋଇ ଖୋଲା ରହିବ । ସେହି ଖୋଲା ଅଂଶରେ କିଛି ସରକାରୀ ଖତ ଓ ମାଟି ରଖିବାକୁ ହେବ । ସେଥିରେ ସୋରିଷ, ପିଆଜ, ମୂଳା, କୁଜିସାରୁ ଲଗାଇବାକୁ ହେବ । ବୁଝୁଚୁ ନା, ମୁଣ୍ଡରେ ଟୋପି ଥିବ, ଅଥଚ, ଟୋପି ଉପରେ ‘ଗ୍ରୋ-ମୋର-ଫୁଡ଼’ ଚାଷ ଚାଲିଥିବ ! ଅଭିନବ ! ଏକବାରକେ ଅଭିନବ ଚାଷ !! ମୋ ପରି ଜମିହୀନ କର୍ମୀଙ୍କ ପକ୍ଷରେ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ । ପ୍ରତି ଶହେଟି କର୍ମୀରେ ପ୍ରାୟ ଅଧ-ଏକରେ ଚାଷ ଜମି ମୁଣ୍ଡ ଉପରେ ରହିବ । ତାହା ପୁଣି ଚଳନଶୀଳ ଜମି ହେବ । ହାତ ବଢାଇଲେ ଫଳମୂଳ ସବୁ ମିଳିବ । ସେଥିରେ ଫୁଲ ବି ଲଗାଯାଇପାରେ । ଏହାଛଡ଼ା ଦ୍ୱିତୀୟ ଯୋଜନା ହେଉଚି, ଦଲ୍ଲୀରେ କିଏ ଜଣେ ଆଇ.ସି.ଏସ୍‌. ଅଫିସର ତଳେ ‘ବିଲାତୀ’ ଆଳୁ ଓ ଉପରେ ‘ଟମାଟୋ’ ଫଳିଲା ଭଳି ଆଳୁଗଛ କଲମି କରିଛନ୍ତି । କିନ୍ତୁ ମୁଁ ଅନୁକରଣପ୍ରିୟ ନୁହେଁ । ତେଣୁ ତଳେ ସାରୁ ଓ ଉପରେ ବିଲାତୀ ବାଇଗଣ ଫଳାଇବାପାଇଁ ମୁଁ ସାରୁଗଛ କଲମି କରିବା ଯୋଜନାରେ ଲାଗିଚି । ଏହା ଆଗାମୀ ୧୯୫୪ ବେଳକୁ ଗଞ୍ଜାମ ଜିଲା ଫଳମୂଳ ପ୍ରଦର୍ଶନୀରେ ଦେଖାଇ ପାରିବି । ସେଠାରେ ଏହାର ଖୁବ୍‌ଆଦର ହେବ । କଣ କହୁଚ ସେବାନନ୍ଦ ବାବୁ ?’’

 

ସେବାନନ୍ଦ ସେତେବେଳେକୁ କାଠର ପିତୁଳା ପରି ଠିଆହୋଇ ଶୁଣୁଥିଲେ କି କ’ଣ ଭାବୁଥିଲେ । ନିଦରୁ ଚମକିଲା ପରି ଉଠି ଚାହାନ୍ତି ତ ଲୋକ ଶହେ ଦେଢ଼ଶ’ ଚାରିପାଖେ ଘେରି ରହିଛନ୍ତି । ସେ ଇସ୍ତତଃ ହୋଇ କହିଲେ - ‘‘ମୁଁ ଯାଉଚି ଗବାନନ୍ଦବାବୁ, ଏଇ ଚଡ଼ିଆ ପଲ୍ଲୀରେ ହଇଜା ଲାଗିଚି ବୋଲି ଶୁଣି ଔଷଧ ନେଇ ଆସିଥିଲି ।’’ ଗବାନନ୍ଦ କହିଲେ, ‘‘ଚାଲ, ଚାଲ, ମୁଁ ବି ଯିବି । ମୁଁ ଯେଉଁଥିପାଇଁ ଆସିଥିଲି, ସେ କାମ ସରିଗଲା ।’’

 

-‘‘ସରିଗଲା ?’’ ସେବାନନ୍ଦ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

 

ଗବାନନ୍ଦ କହିଲେ - ‘‘ହଁ, ସରିଗଲା । ମୁଁ ଆସିଥିଲି ମୋର କଳ୍ପିତ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ବକ୍ତୃତା ଶୁଣାଇବାକୁ । ସହୃଦୟ ଶ୍ରୋତାବର୍ଗ ଓ ଦର୍ଶକବୃନ୍ଦ ବର୍ତ୍ତମାନ ଏଠାରେ ସ୍ୱତଃପ୍ରବୃତ୍ତ ହୋଇ ଶୁଣିସାରିଲେଣି । କାଲି ଅନ୍ୟତ୍ର ସଭା କରିବାପାଇଁ ଯିବାକୁ ପଡ଼ିବ ।’’

 

ସେ ଦିନ ରାତିରେ ସେବାନନ୍ଦ ତାଙ୍କ ଆଶ୍ରମରେ ଖଟିଆ ଉପରେ ପଡ଼ିରହି ବହୁବାର କହିବାର ଶୁଣାଗଲା - ‘‘ଦେଶଟା କେୁଉଁଆଡ଼କୁ ଗତି କରୁଚି, ଭଗବାନ !’’

***

 

ଆଶ୍ରମ-ପ୍ରେମ

 

ମୁଁ ପଚାରିଲି - ‘‘ଆଚ୍ଛା, ଗୋବର୍ଦ୍ଧନବାବୁ, ବହୁଦିନର ବ୍ୟବଧାନ ପରେ ଏଇ କେତେ ସମୟର କଥାବାର୍ତ୍ତାରେ ଦେଖୁଚି ତୁମେ କେବଳ ମୋର ମୁହଁକୁ ଚାହିଁ ତୁମ ମୁଣ୍ଡରେ ହାତ ମାରୁଚ । କହୁ କହୁ ବେଳେବେଳେ ଦୀର୍ଘଶ୍ୱାସ ବି ପକାଉଚ । କଥାବାର୍ତ୍ତା ଭିତରେ ତୁମେ ମୋତେ କିଣିନେଲଣି; ମାତ୍ର ମୁଁ ତୁମକୁ ଆହୁରି ଚିହ୍ନିପାରିନାହିଁ।’’

 

ମୋ ମୁହଁକୁ ଆଉ ଥରେ ଚାହିଁ ଓ ତାଙ୍କ ମୁଣ୍ଡ ବାଁ-ହାତରେ ଆଉଁସି ଆଉଁସି ଗୋବର୍ଦ୍ଧନବାବୁ କହିଲେ -

 

‘‘ମଣିଷକୁ କଣ ସହଜରେ ଚିହ୍ନି ହୁଏ ? କଦାଚ ନୁହେଁ । ବରଂ ଗାଈଗୋରୁଙ୍କୁ ଚଞ୍ଚଳ ଚିହ୍ନିହେବ; ମାତ୍ର ମଣିଷକୁ ଚିହ୍ନିବାକୁ ହେଲେ ଦିନେ ନୁହେଁ, ମାସେ ନୁହେଁ, ବର୍ଷେ ବି ନୁହେଁ, ଅନେକ ବର୍ଷ ଲାଗିଯିବ ।’’

 

ଏ ଉତ୍ତର ଶୁଣି ମୁଁ ଟିକିଏ ଲଜ୍ଜିତ ହେଲି । ଗୋବର୍ଦ୍ଧନ ମୋ ଲଜ୍ଜାଭାବକୁ ଠଉରାଇ ପାରିଲେ ନାହିଁ, ପୁଣି କହିଲେ - ‘‘ପଶୁକୁ ସ୍ନେହ କର, ସେ ତୁମକୁ ଅଳ୍ପଦିନ ଭିତରେ ପ୍ରତିଦାନ ଦେବ । କୁକୁରକୁ ଆଦର କର, ସେ ପରକ୍ଷଣରେ ତୁମର ୠଣ ଶୁଝିଦେବ । ବିରାଡ଼ିକି ଆଉଁସିଦିଅ, ସେ ସଙ୍ଗେ ସଙ୍ଗେ ଘୁଡ଼ୁରୁ ଘୁଡ଼ୁରୁ ହୋଇ ତୁମର ଆଦର ଗ୍ରହଣ କଲା ବୋଲି ଜଣାଇଦେବ । କିନ୍ତୁ କହ ତ ଦେଖି ମନୁଷ୍ୟ ପକ୍ଷରେ କ’ଣ ହୁଏ ?’’

 

ମୁଁ କହିଲି - ‘‘ଗୋବର୍ଦ୍ଧନବାବୁ, ଏବେ ମଧୁର ଆଳାପରୁ ତୁମେ ଦର୍ଶନଶାସ୍ତ୍ରକୁ ଆସିଗଲ-। ମୁଁ ତ ଏ କଥା ଶୁଣିବି ବୋଲି ପଚାରୁନଥିଲି; ପଚାରୁଥିଲି ତୁମେ ମୋ ମୁହଁକୁ ଚାହିଁ ମୁଣ୍ଡ କାହିଁକି ଆଉଁସୁଛ ?’’

 

-‘‘ହଁ, ସେଥିର ଉତ୍ତର ପରା ଦେଉଚି । ଦର୍ଶନଶାସ୍ତ୍ର ନୁହେଁ, ଖୁବ୍‌ ମଧୁର କଥା, ଯାହା ଶୁଣିଲେ ତୁମେ ମନେକରିବ ଯେ ମୁଁ କବିକଳ୍ପିତ ଏକ ପ୍ରେମର ଗଳ୍ପ କହୁଚି ।’’

 

-‘‘ପ୍ରେମର ଗଳ୍ପ ? ତୁମ ମୁହଁରୁ ? ଅସମ୍ଭବ ! ମୁଁ ସେ କଥା ଆଦୌ ମନେକରିବି ନାହିଁ-। ମନେକରିବା ପାପ, ଘୋର ପାପ । ଏ ମୁଣ୍ଡିତମସ୍ତକ, ଚପଲଧାରୀ, ଧୂସରାଙ୍ଗ, ଖଦଡ଼ପରିହିତ ଯୁବକ, ଯେ କି ଆଶ୍ରମରୁ ଆଶ୍ରମକୁ ଗତିକରି, ଖଧଡ଼ କେନ୍ଦ୍ରରୁ ଖଦଡ଼ କେନ୍ଦ୍ରକୁ ଯାଇ କଠୋର ସାଧନ ଭିତରେ କାମ କରିଆସିଛନ୍ତି, ତାଙ୍କ ମୁହଁରୁ ପ୍ରେମର ଗଳ୍ପ ? ଯଦି ତାହା ପ୍ରେମଗଳ୍ପ ବୋଲି କିଏ କହିବ, ତେବେ ମୁଁ କହିବି ଯେ ତାହା ସ୍ୱପ୍ନ ଚିତ୍ର; ବାସ୍ତବ ଚିତ୍ର ନୁହେଁ ।’’

 

ଗୋବର୍ଦ୍ଧନ ଠୋ-ଠୋ ହସିଲେ । ସେ ହସ ହସ ଦେଖି ମୁଁ ଚମକିପଡ଼ିଲି । ସେ ରୁକ୍ଷ ଦେହରେ ସେପରି ମଧୁର ହସ । ସେତେବେଳେକୁ ଆମେ ଦୁହେଁ ବ୍ରହ୍ମପୁରର ଏକ ହୋଟେଲରେ ବସି ଚା’ ଖାଉଥିଲୁ । ମୁଁ ଚା’ କପ୍‌କୁ ମୁହଁ ପାଖକୁ ନେଇ ପଚାରିଲି, ‘‘ଗୋବର୍ଦ୍ଧନବାବୁ, ତୁମେ କଣ ଆଶ୍ରମ ଭିତରେ ଏପରି ଠୋ-ଠୋ ହସ ?’’

 

-‘‘କାହିଁକି ?’’

 

-‘‘କିଏ ମନାକରିନ୍ତି ନାହିଁ ?’’

 

-‘‘ହସକୁ ମନାକରିବ କିଏ ?’’

 

-‘‘ଆଶ୍ରମର ନିୟମ ।’’

 

-‘‘ନିୟମରେ ଏ କଥା ନଥାଏ ।’’

 

-‘‘ନିୟମରେ କଣ ଥାଏ ଯେ ଜଣେ ହସି ଅନ୍ୟ ଜଣକ ପ୍ରାଣକୁ ଚହଲାଇ ଦେଇପାରିବ-?’’

 

ଏତିକି ବେଳେ ଗୋବର୍ଦ୍ଧନବାବୁ ଟିକିଏ ଗମ୍ଭୀର ହୋଇଗଲେ । ପୁଣି ମୁହଁକୁ ଚାହିଁ ତାଙ୍କ ମୁଣ୍ଡ ଆଉଁସିଲେ; ସତେ ଯେପରି ଅତୀତର କୌଣସି ଗୁରୁତର କଥା ତାଙ୍କ ସ୍ମୃତିଟରେ ପ୍ରତିବିମ୍ବିତ ହେଲା । ସେ ହୋଟେଲର ଛାତକୁ ଚାହିଁରହିଲେ ।

 

ମୁଁ ତାଙ୍କ ମୋହ ଭାଙ୍ଗି କହିଲି - ‘‘ଆଚ୍ଛା, ଆଉ ଦି’କପ୍‌ ଚା’ ଆସୁ ।’’

 

ଚା’ ଆସିଲା । ଶୁଷ୍କ ଓଠସୀମାକୁ ଚା’ କପ୍‌ରେ ଲଗାଇ ଦେଇ ଗୋବର୍ଦ୍ଧନ ଟିକିଏ ଶୋଷିନେଲେ - ସତେ ଯେପରି ଅଜ୍ଞାତରେ ତାହା କଲେ । କାରଣ, ସେ ମୋ ମୁହଁକୁ ଚାହିଁ ମୁଣ୍ଡରେ ହାତ ମାରି କଣ ଭାବୁଥିଲେ । ତା’ପରେ ଟିକିଏ ହସି କହିଲେ, ‘‘ମନେପଡ଼ୁଚି ଅନେକ ଦିନ ତଳର କଥା । ସେହି ସମୟରେ ମୋର କଳା କୋମଳ ବାଳଗୁଡ଼ିଏ ଥିଲା । ହାତ ମାଇଲେ ଲୋଭ ଲାଗୁଥିଲା । ମୋ ଆଖିକି ତାହା ଦେଖାଯାଉ ନ ଥିଲେ ମଧ୍ୟ ସବୁବେଳେ ତାର ଯତ୍ନ ମୁଁ ନେଉଥିଲି । ଯେତେ ପ୍ରକାର ସୁବାସିତ ତେଲ ବଜାରରେ ମିଳେ, ସେ ସବୁ ସହିତ ମୋର ପରିଚୟ ଅଛି ।

 

ମୁଁ ଟିକିଏ ହସିଲି ।

 

ସେ କହିଲେ, ‘‘ହସିବାର କଥା । କାରଣ, ମୋର ଏବର କଥା ସହିତ ଏ ମୁଣ୍ଡର କିଛି ସମ୍ପର୍କ ନାହିଁ । ଏବେ ଏ ରୁକ୍ଷ ଟାଆଁସା, ଖଇରା ଅସଂଯତ କଟା ବାଳକୁ ଦେଖି କିଏ କାହିଁକି ମନେକରିବ ଯେ ଏହାରି ସ୍ଥାନରେ କଳାକଜ୍ଜ୍ୱଳକୁ ଜିଣି ନବନୀତ କୋମଳ ସୁନ୍ଦର ବାଳ ଦିନେ ଥିଲା ବୋଲି ! କିନ୍ତୁ ଥିଲା ।’’

 

ମୁଁ କହିଲି, ‘‘ଗୋବର୍ଦ୍ଧନବାବୁ, ଦେଖୁଚି, ତୁମେ ବଡ଼ ଭାବପ୍ରବଣ । କେବେ କଣ ଥିଲା, ସେ କଥା ବିଚାରି ଆଜି ତୁମେ ବି ସୁନ୍ଦର ସ୍ମୃତି-ତର୍ପଣ କରୁଚ ! ଶୁଣି ମୋତେ ଲୋଭ ଲାଗୁଚି । ବାସ୍ତବିକ, ତୁମେ ଜଣେ ପ୍ରକୃତ ଆଶ୍ରମବାସୀ ।’’

 

ଗୋବର୍ଦ୍ଧନ ଏଥିର ହଠାତ୍‌ ପ୍ରତିବାଦ କଲେ । କହିଲେ, ‘‘ନା, ନା, ଭୁଲ ବୁଝିଲ । ଭୁଲ ନ ହେଲେ ଓଲଟା ବୁଝିଲା । ମୁଁ ଆଶ୍ରମର ଯୋଗ୍ୟ ନୁହେଁ । ଆଜି ଆଶ୍ରମ-ଜୀବନର ଯେ ବାହ୍ୟ ଛାପ ଦେହରେ ଦେଖୁଚ - ଏ ଆଣ୍ଠୁଡ଼ିଆଁ ଲୁଗାପିନ୍ଧା, ଏ ଅସଂଯତ ବାଳକଟା, ଏ ଖଇରିଆ ବେଶବାସ - ଏଗୁଡ଼ାକ ମୋତେ ବଦଳେଇ ଦେଇଛନ୍ତି । କିନ୍ତୁ ଭିତରେ ଯେ ଛାପ ପଡ଼ିଚି, ଆଶ୍ରମ-ଜୀବନର ସେ କଥା ଭାବିଲେ ମୋତେ ପୁରାଣଯୁଗର କଚ-ଦେବଯାନୀ କଥା ମନେପଡ଼େ ।’’

 

-‘‘କଚ-ଦେବଯାନୀ !’’

 

-‘‘ହଁ, ଏ କଚ-ଦେବଯାନୀ କଥା । କଚ ଗଲେ ଗୁରୁ ଆଶ୍ରମରେ ଶିକ୍ଷା ପାଇଁ । ଶିକ୍ଷା ପାଇ ବିଦାୟ ନେଲାବେଳେ ଆଶ୍ରମ-ନନ୍ଦିନୀ ଦେବଯାନୀ ତାଙ୍କୁ ବିଦାୟ ଦେଇ ପାରିଲେ ନାହିଁ । ମୋ ଭିତରେ ଛାପ ଠିକ୍‌ସେୟା - ପଥର ଦେହରେ ଗାର ପଡ଼ିଲାପରି ରହିଚି ।’’ ଏହା କହି, ଗୋବର୍ଦ୍ଧନ ଚା’ କପ୍‌ରେ ମୁହଁ ଲଗାଇଆଣି କହିଲେ - ‘‘ଆଜିକି ପାଞ୍ଚବର୍ଷ ତଳେ ଯାଇଥିଲି ଆଶ୍ରମକୁ, ଛଅ ମାସ ହେଲା ବିଦାୟ ନେଇ ଆସିଚି ଆଶ୍ରମରୁ । ସେ ସ୍ମୃତି ମୋ ହୃଦୟରେ ନିତ୍ୟ ଜାଗରୂକ ରହିଚି । ଆଉ ସେ ଆଶ୍ରମକୁ ଫେରିବି ନାହିଁ ।’’

 

-‘‘ଫେରିବ ନାହିଁ ?’’

 

-‘‘ନା, ଫେରିବି ନାହିଁ । ମୁଁ ବାସ୍ତବିକ ଆଶ୍ରମର ଯୋଗ୍ୟ ନୁହେଁ; ମୁଁ ଜଣେ ପ୍ରେମିକ ।’’

 

-‘‘ପ୍ରେମିକ ! ତୁମେ ପ୍ରେମିକ ! ପ୍ରେମରେ ପଡ଼ି କେବେ ଆଶ୍ରମରୁ ଫେରିଚ ?’’

 

-‘‘ଠିକ୍‌ ଏତେବେଳକୁ କଥାଟାକୁ ଧରିପାରିଲ । ପ୍ରେମରେ ବୈରାଗ୍ୟ ଆସିଲେ ଯାହା ହୁଏ, ମୋର ସେଇଆ ନୁହେଁ; ତେଣୁ ସେ ସ୍ମୃତି ମୋତେ ବେଳେବେଳେ ବ୍ୟତିବ୍ୟସ୍ତ କରିପକାଉଚି-।’’

 

ଶୁଣିବାକୁ ମୋର ଆଗ୍ରହ ଶତଗୁଣିତ ହେଲା । ଆଉ ଦି’କପ୍‌ଚା’ ମଗାଇ କେବଳ ନୀରବରେ ବସିରହିଲି; ଗୋବର୍ଦ୍ଧନ କହିବାରେ ଲାଗିଲେ ।

 

ଗୋବର୍ଦ୍ଧନ ଆରମ୍ଭ କଲେ - ‘‘ଆଶ୍ରମରେ ମୋର ଯେ ଦେବଯାନୀ, ମନେକର, ତାଙ୍କ ନାଁ ରେବ । ଆମେ ଆଶ୍ରମରେ ଥାଉ ୧୭ ଜଣ କର୍ମୀ । ଏହି ୧୭ ଜଣଙ୍କ ଭିତରୁ ସାତଜଣ ନାରୀକର୍ମୀ, ବାକୀ ପୁରୁଷ । ଦେଶର ମୁକ୍ତ-ସ୍ୱପ୍ନ ସେହିଠାରେ ଆମେ ଦେଖୁଥିଲୁ । ଆମ ଭିତରେ ଭେଦଭାବ କିଛି ନଥିଲା । ଗାଁ ଗାଁ ବୁଲି ଚାନ୍ଦା ଆଣିବା, ସୂତାକଟା ଶିଖାଇବା ହରିଜନ ପଡ଼ା ଓଳେଇବା ଏବଂ ନେତାମାନେ ଯିବା ପୂର୍ବରୁ ସଭା ଯେଗାଡ଼ କରିବା ଆମ ସମସ୍ତଙ୍କର ଥିଲା ସାଧାରଣ କାର୍ଯ୍ୟ-ନିର୍ଘଣ୍ଟ । ସୂତା କାଟିବା ଥିଲା ବାଧ୍ୟତାମୂଳକ ଏବଂ ଏଥିରେ ମୁଁ ଥିଲି ସିଦ୍ଧହସ୍ତ । ଯେତେ କଞ୍ଚାହାତିଆ କର୍ମୀ ଆଶ୍ରମକୁ ଆସିବେ, ସମସ୍ତଙ୍କୁ ମୋତେ ଡାଇରେକ୍‌ଟ ମେଥଡରେ ସୂତାକଟା ଶିଖାଇାବକୁ ହୁଏ । ଅର୍ଥାତ୍, ଅରଟ ପାଖରେ ବସି, ହାତ ଧରି, ଅରଟ ବୁଲେଇ, ଛିଡ଼ିଲେ ଗଇଁଠେଇ ଶିଖେଇାବକୁ ପଡୁଥିଲା ।

 

ମାତ୍ର ନାରୀକର୍ମୀଙ୍କ ପ୍ରତି ଏ ପ୍ରକାର ପଦ୍ଧତି ନଥିଲା । କି ଗୁରୁତର କାରଣରୁ ଯେ ଆଶ୍ରମରେ ଏ ବିଷୟରେ କଡ଼ା ଆଇନ ହୋଇଥିଲା, ମୁଁ ପରେ ବୁଝିଲି । ତେଣୁ ଯେତେବେଳେ ଶ୍ରୀମତୀ ରେବା ଆଶ୍ରମ-ବାସିନୀ ହେଲେ ତାଙ୍କୁ ଇନ୍‌ଡାଇରେକ୍‌ଟ ମେଥଡରେ, ଅର୍ଥାତ, ତାଙ୍କ ହାତ ନଧରି, ଦେଢ଼ଫୁଟ ଦୂରରେ ବସି, ଏପରି ଧର, ଏପରି ଟାଣ, ଏପରି ବୁଲାଅ କହି କହି ଚାରିଦିନ ଟ୍ରେନିଂ ଦେଲି ।

 

ସେ କଞ୍ଚାହସ୍ତା କିଶୋରୀ ସେଥିରେ ପାରିଲେନାହିଁ । କେବଳ ମୁଁ - ‘ହେଇ ଛିଡ଼ିଗଲା, ଏଠି ଗଣ୍ଠି ପକାଅ, ଚକବୁଲା ବନ୍ଦ କର, ତାକୁଡ଼ି ଖସିଗଲା’ -ଆଦି ପାଟି କରିବା ସାର ହେଲା । ଆଶ୍ରମର ନିୟମ ଅନୁସାରେ ଯେଉଁ କର୍ମୀ ସାତଦିନ ଭିତରେ ସୂତାକଟା ସାଟିଫିକେଟ୍‌ ନ ପାଇବେ, ତାଙ୍କୁ କର୍ମୀ-ତାଲିକାରେ ତୃତୀୟ ଶ୍ରେଣୀରେ ରହିବାକୁ ହେବ - ଏ ଆଇନ କଥା ଶ୍ରୀମତୀ ରେବା ଜାଣିଥିଲେ । ତେଣୁ ଶିଖିବାର ପଞ୍ଚମ ଦିନ ସେ ଯେତେବେଳେ ହତାଶ ହୋଇପଡ଼ିଲେ, ମୋ ମୁହଁକୁ ଚାହିଁ କହିଲେ - ‘‘କେଉଁଠି ଭୁଲ ହେଉଛି ବତେଇ ଦେଇ ପାରିବେ ?’’

 

ଏତିକିବେଳେ ଗୋବର୍ଦ୍ଧନ ଅନ୍ୟମନସ୍କ ହେଲେ । ମୁଁ ପଚାରିଲି, ‘‘କଣ ଶିଖାଇଦେଲ-?’’

 

ସେ ସ୍ୱପ୍ନରୁ ଉଠିଲା ପରି ଟିକିଏ ଲଜ୍ଜିତ ଚାହାଣିରେ ମୋତେ ଚାହିଁ କହିଲେ- ‘‘ ହଁ, ଶିଖାଇଦେଲି; ମାତ୍ର ସେହିଠାରେ ସେହିଠାରେ ମୁଁ ଆଶ୍ରମ ନିୟମଭଙ୍ଗ କଲି । ମୁଁ ଶ୍ରୀମତୀ ରେବାଙ୍କ ହାତ ଧରି ଶିଖାଇ ଦେବାଟା ଆଶ୍ରମରେ ରାଷ୍ଟ୍ରହୋଇଗଲା । ରେବାଙ୍କୁ ତ ସମସ୍ତେ କାଉବାଉ କରି ପକାଇଲେ; ମୋ ଉପରେ ନାନା ନିଷେଧ ଆଦେଶ ଜାରି ହେଲା । ସେ ମଧ୍ୟରେ ପ୍ରଧାନ ହେଉଚି, ମୋତେ ମୁଣ୍ଡିତ ମସ୍ତକ ହେବାକୁ ପଡ଼ିଲା, ଚାରିଦିନ ମୌନ ରହିବାକୁ ହେଲା ଏବଂ ଦିନର ଅଧିକାଂଶ ସମୟରେ ସୂତା କାଟିବାକୁ ହେଲା ।

 

‘‘ଆଦେଶ ଶିରୋଧାର୍ଯ୍ୟ କଲି । ଛଳଛଳ ଆଖିରେ ମୋର ରେଶମକୋମଳ ବାଳଗୁଡ଼ିକ ଭଣ୍ଡାରି ମୁଠି ତଳୁ ଗୋଟାଇ ହାତରେ ଧଇଲି । ତା’ପରେ ତାହାରି ସହିତ ସବୁବେଳେ ପାଖରେ ରଖୁଥିବା ଛୋଟିଆ ହରିଣ ଶିଙ୍ଗର ପାନଆଟିକୁ ମଧ୍ୟ ବିଦାୟ ଦେଲି । ଆଶ୍ରମର କଠୋର ଆଇନ ଭିତରେ ଜୀବନଯାପନ କରି ନିଜକୁ ଅନ୍ୟଠାରୁ ଏପରି ତଫାତ୍‌ରେ ରଖିଲି ଯେ ମୋତେ ଯେ ଆଗେ ଦେଖିଥିଲା ସେ ଅବାକ୍‌ହେଲା । କିନ୍ତୁ ସବୁ ମୁଁ ପାସୋରି ଦେଲି - ମୁଣ୍ଡରୁ ବାଳ, ପକେଟରେ ପାନିଆ, -ସବୁକୁ ବିଦାୟ ଦେଲି; କିନ୍ତୁ ସେଦିନର ସେହି ସୂତାକଟା ଶିକ୍ଷା ଭୁଲି ପାରିଲି ନାହିଁ । ଏଇ ଯେଉଁ ହାତରେ ଧରିଥିଲି ରେବା ହାତକୁ, ସେହି ସ୍ପର୍ଶ ଏବେ ମଧ୍ୟ ହାତରେ କେଉଁ ସୂକ୍ଷ୍ମ ଶିରାପ୍ରଶିରା ଭିତରେ ଲୁଚିରହିଲା ପରି ଲାଗୁଚି । ବେଳେବେଳେ - ଏତେ ଦିନପରେ, ଆଶ୍ରମଠାରୁ ଏତେ ଦୂରରେ ରହି ମଧ୍ୟ ଏ ଚିତ୍ତବୃତ୍ତି ସେଦିନର ସେ ମୁହୂର୍ତ୍ତକ ଫେରି ଯାଉଚି । ଛାଡ଼ ଏ କଥା । ଏ ଘଟଣାଠାରୁ ଦୁଇବର୍ଷ ପର୍ଯ୍ୟନ୍ତ ମୁଁ ଆଶ୍ରମରେ ରହିଲି ଆଉ ଏକ ଅତି ଗୁରୁତର ଘଟଣା ଯାଏଁ ।’’

 

ମୁଁ ଚମକିଲାପରି ପଚାରିଲି - ‘‘ତେବେ କଣ ପ୍ରେମର ପ୍ରସ୍ତାବ ଆସିଲା ?’’

 

-‘‘ପ୍ରେମ ପ୍ରସ୍ତାବ ? ନା, ତା’ଠାରୁ ଆହୁରି ଗୁରୁତର । ଏ ପର୍ଯ୍ୟନ୍ତ ମୁଁ କହିନି ଆଶ୍ରମରେ କେତେକ ସ୍ୱତନ୍ତ୍ର ଆଇନ ବିଷୟରେ । ଆଶ୍ରମର କର୍ମୀମାନେ ଦୁଇ ଶ୍ରେଣୀରେ ବିଭକ୍ତ ହୋଇଥିଲେ-। କିନ୍ତୁ ସମସ୍ତଙ୍କ ପକ୍ଷରେ ଗୋଟାଏ ନିୟମ ଥିଲା ଯେ ପାଇଖାନା ଗଲେ ସସସ୍ତେ ନିଜେ ନିଜେ ଗୋଟିଏ ଗୋଟିଏ ଗାତ କରି ସେଥିରେ ଝାଡ଼ା ଯିବେ । ପ୍ରତି ପନ୍ଦରଦିନ ପାଇଁ ଗୋଟିଏ ଗୋଟିଏ ଗାତ ନିର୍ଦ୍ଦିଷ୍ଟ ଥିଲା । ଯାହାର ଗାତ ପୂର୍ଣ୍ଣ ହେବ ସେଥିର ସେ ମାଟି ଘୋଡ଼େଇ ଦେବ ଏବଂ ସେହି ଗାତ ଖତରେ ପରିଣତ ହେଲେ ନିଜ ହାତରେ ଆଶ୍ରମର ନିର୍ଦ୍ଦିଷ୍ଟ ଦିବସରେ ସେଥିରେ ଗୋଟିଏ ଅମୃତଭଣ୍ଡା ମଞ୍ଜି ପୋତିବ । ଖାଲି ଏତିକି ନୁହେଁ; ନିୟମ ବାହାରେ ଆଉ ଏକ କଥା ଥିଲା । ଯାହା ମଞ୍ଜି ଭଲ ଗଛ ହେଉଥିଲା, ସେ ନିଜକୁ ବଡ଼ ଉଚ୍ଚସ୍ତରର କର୍ମୀ ବୋଲି ମନେ କରୁଥିଲା । ପୁଣି, ଯାହା ଗଛରେ ବଡ଼ ରସୁଆଳ ଫଳ ଧରୁଥିଲା, ସେ ନିଜକୁ ନିଜେ ନେତୃତ୍ୱର ଆସନରେ ବସାଇ ଆନନ୍ଦ ଅନୁଭବ କରୁଥିଲା । ଏହି ପାଇଖାନା ଓ ମଞ୍ଜିଲଗା ପ୍ରଥା ନାରୀକର୍ମୀ ଓ ପୁରୁଷକର୍ମୀଙ୍କ ପାଇଁ ବାଡ଼ଦିଆ ସ୍ୱତନ୍ତ୍ର ସ୍ଥାନରେ ନିର୍ଦ୍ଦିଷ୍ଟ ଥିଲା ।’’

 

ଚା’ ଖିଆ ଶେଷ ହେଲାନାହିଁ କି ଗୋବର୍ଦ୍ଧନଙ୍କ କଥା ସରିଲାନାହିଁ । ଏଣିକି ସେ କଥାକୁ ବଡ଼ ଅନ୍ୟମନସ୍କ ଭାବରେ କହିଲେ । ଜଣାପଡ଼ୁଥିଲା, ସତେ ଅବା ତାଙ୍କ ପ୍ରାଣରେ ଅତୀତର ଗୋଟାଏ କିଛି ରେଖାପାତ ହେଉଥିଲା । ମୁଣ୍ଡକୁ ଆଉଁସି ଆଉଁସି ମନଶ୍ଚକ୍ଷୁଃରେ ଖୁବ୍‌ଦୂରକୁ ଚାହିଁଲାପରି ରହି ସେ କହିଲେ –

 

‘‘ମୋତେ ସେ ଆଶ୍ରମରୁ କେହି ବାହାର କରି ନାହାନ୍ତି; ମୋତେ ବାଧ୍ୟହୋଇ ଆସିବାକୁ ହେଲା । ଦୁଇବର୍ଷକାଳ ମୋର ପାଇଖାନାରେ ଗଛ ଉଠିଲା ନାହିଁ, କହିଲେ ଚଳେ । ଯାହା ଉଠିଲା ରୁଗ୍‌ଣ, ଛୋଟ, ମୁରୁକୁଟିଆ ହୋଇ ରହିଲା । ମୋ ଗଛ ଅନୁସାରେ ଆଶ୍ରମର ନିୟମ-ସୂତ୍ରରେ ପକାଇଲେ ମୋତେ ଆଶ୍ରମ କର୍ମୀ-ତାଲିକାରେ ଚତୁର୍ଥ କି ପଞ୍ଚମ ଶ୍ରେଣୀରେ ରହିବାକୁ ପଡ଼ିବ । ଏ ତ ଗୋଟାଏ ଭାଗ୍ୟ ପରୀକ୍ଷା, ଏ ଭାଗ୍ୟପରୀକ୍ଷାରେ ମୁଁ ଉତୁରି ପାରିଲି ନାହିଁ । ମୋର ଗଛ ଅଭାବରେ ମୋତେ ସମସ୍ତେ ହୀନଚକ୍ଷୁରେ ଦେଖିଲେ । ଏ ମଧ୍ୟରେ ଅନେକ କଥା ଘଟିଯାଇଚି; ମାତ୍ର ଶ୍ରୀମତୀ ରେବା ସହିତ ମୋର ଶିକ୍ଷାଦାନର ଘଟଣା ପରି ଘଟଣା ଘଟିନାହିଁ ।

 

‘‘ସେ ମୋ’ରି ଯୋଗୁଁ ବଡ଼ ଲଜ୍ଜିତା ହେଲାପରି ଅନେକଦିନ ଅନେକ ଘଟଣାରେ ଭାବ ଦେଖାଇଆସିଚି । ତଥାପି ଆଶ୍ରମ ସଭାସିମିତିରେ ଭୋଟଭାଟ ବେଳେ ସେ ଯେ ମୋ ପକ୍ଷରେ ହାତ ଟେକିଛି, ମୁଁ ଜାଣିପାରିଚି । ବେଳେବେଳେ ‘ଭାଇ’ ବୋଲି ଡାକିଛି, ବେଳେବେଳେ ‘ବାବୁ’ ବୋଲି ମଧ୍ୟ ଡାକିଛି । ମାତ୍ର ମୁଁ ଆଶ୍ରମରୁ ଆସିବା ପୂର୍ବଦିନ ଯେ ଘଟଣା ଘଟିଲା ତାହା ଏ ଜୀବନରେ ଭୁଲିପାରିବିନାହିଁ ।

 

‘‘ସେଦିନ ଆମ ଉଭୟଙ୍କର ପାଇଖାନା ଗାତରେ ମଞ୍ଜି ପୋତିବା କଥା । ଉଭୟେ ଏକସମରୟରେ ମଞ୍ଜି ଧରି ପାଇଖାନାକୁ ଗଲୁ । ସେ ରହିଲା ତାଟି ସେପାଖେ, ମୁଁ ରହିଲି ତାଟି ଏପାଖେ - ଠିକ୍‌ ନାରୀକର୍ମୀ ଓ ପୁରୁଷକର୍ମୀଙ୍କ ପାଇଁ ନିର୍ଦ୍ଦଷ୍ଟ ଲଗାଲଗି ଦୁଇଟା ପାଇଖାନା ଗାତ ପାଖେ । ପବିତ୍ର ପ୍ରଭାତ ସମୟ । ଆଶ୍ରମବାସୀ ଯେଝା କାମରେ ବ୍ୟସ୍ତ । ମଞ୍ଜି ମୁଁ ପୋତିବାର ଠିକ୍‌ ଅବ୍ୟବହିତ ପୂର୍ବରୁ ଶ୍ରୀମତୀ ରେବା ମୋତେ ଚାହିଁ କହିଲା, ‘‘ଭାଇ !’’ ମୁଁ ଚମକି ଚାହିଁଲି । କାହିଁକି ନା, ମୁଁ ସେପରି ସ୍ୱରର ଡାକ କେବେ ତା’ଠାରୁ ଶୁଣିନାହିଁ । ଚାହିଁଲି, କେବଳ ଚହିଁଲି । ସେ କହିଲା, ‘‘ଶୁଣିଚ ?’’

 

ଆଶ୍ଚର୍ଯ୍ୟ ହୋଇ ପଚାରିଲି - ‘କଣ ?’

 

-‘ମୁଁ ଆଶ୍ରମରୁ ଚାଲିଯାଉଚି ।’

 

-‘‘ଯାଉଚ ?’’ ନିର୍ବିକାର ଆଶ୍ରମବାସୀ ପରି ପଚାରିଲି । ସେ ଖିଲିଖିଲି ହସି କହିଲା - ‘‘ଖାଲି ଯାଉନାହିଁ, ଯାଉଚି ଯେ ଆଉ ଆସିବିନାହିଁ ।’’

 

ଏତିକିବେଳେ ମୋ ମନଟା କିପରି ବିଚଳିତ ହୋଇଗଲା । ମନୁଷ୍ୟର ମନ ବଡ଼ ବିଚିତ୍ର-। ମନେପଡ଼ିଗଲା, ଅତୀତର ନାନା କଥା ଭିତରେ ସେହି ସୂତାକଟା ଘଟଣା । ହାତ ହଠାତ୍‌ମୁଣ୍ଡ ଉପରକୁ ଉଠିଗଲା । ଆଉଁସି ଆଉଁସି କହିଲି -‘‘ଯାଉଚ ତ, ମନେରଖିଥିବ ।’’

 

ସେ ଆହୁରି ଖିଲିଖିଲି ହସି କହିଲା - ‘ମନ ? ମନ ମୋ ଭିତରେ ଥିଲେ ତ ?’

 

-‘ତୁମ ମନ ଭିତରେ ନାହିଁ, କଣ ଆଉ କାହା ଭିତରେ ?’

 

ସେ ଉତ୍ତର ଦେଲା - ‘ତୁମ ମନ କଣ ତୁମ ଭିତରେ ?’

 

‘‘ମୁଁ ସେତେବେଳେ ସେଠାରେ ଠିଆହେବି କି ବସିପଡ଼ିବି, କିଛି ବୁଝିପାରିଲି ନାହିଁ । ମୋ ଗୋଡ଼ତଳେ ପୃଥିବୀଟା ଅଛି କି ତଳକୁ ଖସିଯାଇଚି, ଜାଣିହେଲାନାହିଁ । ଆଗରୁ କହିଚି, ପଶୁକୁ ବେଗେ ଚିହ୍ନିହେବ ମଣିଷଠାରୁ । ମୋର ବାଳକଟା ଦିନଠାରୁ ଏପର୍ଯ୍ୟନ୍ତ ମୁଁ ରେବାକୁ ଚିହ୍ନି ପାରିନଥିଲି । କେତେବେଳେ ଭୁଲ୍ ବୁଝୁଥିଲି, କେତେବେଳେ ଠିକ୍ ବୁଝୁଥିଲି । କେତେବେଳେ ମଫସଲ ଗାଁରେ ‘ନାଥ’ ନାମଧାରୀ କୌଣସି ଲୋକକୁ କର୍ମକ୍ଷେତ୍ରରେ ସେ ‘ନାଥ’ ବୋଲି ଡାକିଦେଲେ ମୁଁ ପାଖରେ ଥାଇ ଚମକିପଡୁଥିଲି । ପରେ ଆଖି ଖୋଲି ଭୁଲ୍ କଲି କି ଠିକ୍ କଲି ପହରେ ବସି ଚିନ୍ତା କରୁଥିଲି । କେତେବେଳେ ରୋଗଶଯ୍ୟାରେ ଜଳଗ୍ରହଣ କଥା ଉଠିଲେ ମୁଁ ‘ପାଣିଗ୍ରହଣ’ କଥା ମନେକରି ରେବାକୁ ଚାହୁଁଥିଲି । ରେବା ହୁଏତ ତାହା ବୁଝୁ ନଥିଲା । କିନ୍ତୁ ରେବା ଯେତେବେଳେ ବୁଝିଲା, ମୁଁ ନବୁଝିଲାପରି ରହିଲି । ଭାବିଲି ଏପରି ଛଳନା ନ କଲେ ମୁଣ୍ଡରେ ଯେ ସାମାନ୍ୟ ବାଳ ଅଛି ତାହା ଆଶ୍ରମ ନିୟମରେ ପଡ଼ି ପ୍ରତିଦିନ ଖିଅର ହେବାକୁ ପଡ଼ିପାରେ ।

 

‘‘ମୋର ନୀରବତା ଦେଖି ରେବା କହିଲା - ‘ଭାଇ, ତେଣେ ଘଣ୍ଟା ବାଜିବା ଉପାସନାକୁ-। ଯାଅ, ଉପାସନା କରିବା । ଆଜି ଉପାସନାରେ ପ୍ରଭୁଙ୍କୁ ଜଣାଇବ ଯେପରି ତୁମ ଗଛଟି ଭଲ ଉଠେ ।’

 

‘‘ତାର ପରିହାସ ମୋତେ ଛୁଞ୍ଚି ବିନ୍ଧିଲାପରି ଲାଗିଲା । ମୁଁ ତାକୁ ଥଟ୍ଟାରେ ନେବି କି ଆଶ୍ରମର ଆଇନସୂତ୍ରରେ ପକାଇ କଠୋର ଭାବରେ ନେବି ବିଚାରୁଛି, ରେବା ପୁଣି ହସି ହସି କହିଲା, ‘ଆଚ୍ଛା ଭାଇ, ମୁଁ ତ ଯାଉଛି ଏଠାରୁ । ମୋର ଏ ଗାତରେ ଭଲ ଗଛ ଉଠିଲେ କେତେ, ନ ଉଠିଲେ କେତେ ! ଆଚ୍ଛା, ତୁମର ମଞ୍ଜି ଏ ଗାତରେ ପକାଇ ଦିଅ । ଗଛ ଉଠିଲେ କହିବେ ଯେ ତୁମେ ଏ ଗଛ ଲଗାଇଚ ।’

 

‘‘ଆଜ୍ଞାବହ ଶିଷ୍ୟପରି ରେବା ହାତକୁ ମଞ୍ଜି ବଢ଼ାଇଦେଲି । ରେବା ହସି ହସି ମଞ୍ଜି ପୋତିଦେଇ ଚାଲିଗଲା । ଖାଲି ଭୂଇଁରେ ନୁହେଁ, ମୋ ହୃଦୟରେ ଅବା ମଞ୍ଜିଟିଏ ପୋତିଦେଇ ଗଲା !! ଗଲାବେଳେ ଧୀର ପବନସ୍ରୋତରେ ପଛଦେଇ ଯେ ପଣତକାନି ଥରୁଥିଲା, ତାହା ଦେଖି ମନେକଲି ତାହା ମୋତେ ଥଟ୍ଟା କରୁଚି କି ? ଠିକ୍ ଆଶ୍ରମବାସିନୀ ଦେବଯାନୀ ଦିନେ ଯେପରି କଚକୁ ବୁଝାଇପାରିନଥିଲା, ରେବା ମତେ ସେଦିନ ଆଶ୍ରମ-ଜୀବନରେ ପୂରା ବୁଝାଇ ପାରିଲାନାହିଁ-

 

‘‘ମୁଁ ଏ ଘଟଣାର ଦୁଇଦିନ ପର୍ଯ୍ୟନ୍ତ ଆଶ୍ରମରେ ମୂକଭାବରେ ରହିଲି । ରେବା ଆଶ୍ରମ ଛାଡ଼ି ଚାଲିଯିବା ସହିତ ମୋର କାର୍ଯ୍ୟ ଯୋଡ଼ାଗଲା; କିନ୍ତୁ ଭଲଭାବରେ ଯୋଡ଼ାଯାଇ ନ ଥିଲା । ରେବାର ପଣତ ମୋତେ କହିଦେଇ ଗଲା - ଆଶ୍ରମ-ଜୀବନ ତୁମପରି ଯୁବକ ପାଇଁ ନୁହେଁ, ଯେ କି ହାତ ଧରି ସୂତାକଟା ଶିଖାଇ ହାତ ଥରାଏ, ଯେ ନିଜକୁ ଥରାଏ, ଅନ୍ୟକୁ ଥରାଏ । ପାଞ୍ଚବର୍ଷ ପରେ ରେବାକୁ ଚିହ୍ନିଲି ! ଆଶ୍ରମ ଛାଡ଼ି ଏବେ ମୁଁ ବିବାହପଥରେ ଯାତ୍ରୀ ।

 

- ‘‘ବିବାହ ?’’

 

- ‘‘ହଁ, ବିବାହ ।’’

 

- ‘‘ସେ ପୁଣି କିଏ ?’’

 

- ‘‘ରେବା ।’’

 

- ‘‘ରେବା ! ବେଶ୍ ତ । ଏ ଏକ ଗଳ୍ପ କହିଲ ନା କ’ଣ ?’’

 

- ‘‘ନା, ଗଳ୍ପ ନୁହେଁ; ବାସ୍ତବ କଥା ।’’

 

ସେଦିନ ଗୋବର୍ଦ୍ଧନ ସହିତ ହୋଟେଲରୁ ଫେରିବା ପରେ ତାଙ୍କର ଆଶ୍ରମ-ଜୀବନ କଥା ବରାବର ମନେପଡୁଚି ।

***

 

ନାରୀ-ଜାଗରଣ

 

‘ନିଆଁଖୁଣ୍ଟା’ର ପାଠକମାନେ ସତ କରନ୍ତୁ ବା ନ କରନ୍ତୁ, ମୁଁ ଯାହା ଆଖିରେ ଦେଖିଛି, ସେ କଥା ନିଶ୍ଚୟ ଏଠାରେ ଲେଖିବି । ଆଗାମୀ ସଂଖ୍ୟା ‘ନିଆଁଖୁଣ୍ଟା’ ପାଇଁ କ’ଣ ଲେଖିବି ଲେଖିବି ବୋଲି ଦିନେ ଖଟ ଉପରେ ପଡ଼ିଗଲି, କେତେବେଳେ ଆଖିକି ନିଦ ଆସିଲା ଜାଣେନାହିଁ । ହଠାତ୍ ନିଦ ଭାଜିଯିବାରୁ ଦେଖିଲି ଖଣ୍ଡେ ‘ନିଆଁଖୁଣ୍ଟା’ ମୋତେ କଡ଼ପଟୁ ଠେଲୁଚି ! ତାହା ‘ଚୁଲିର ନିଆଁଖୁଣ୍ଟା’ ନୁହେଁ, ‘କାଗଜର ନିଆଁଖୁଣ୍ଟା’ ! ଚମକି ଉଠିବସିଲି । ମୋର ମୂଢ଼ତା ଦେଖି ‘ନିଆଁଖୁଣ୍ଟା’ ମୋ ହାତ ଧରି ଟାଣିଲା । ଅବାକ୍ ହେଲି ଏ କ’ଣ ବୋଲି । ‘ନିଆଁଖୁଣ୍ଟା’ ମନ୍ଦ ମନ୍ଦ ହସି କହିଲା - ‘‘ଆସ, ଆସ, ମୋ ସହିତ ଆସ । ଗୋଟାଏ ନୂଆ କଥା ଦେଖାଇଦେବି ।’’ ଉଠି ଠିଆହେଲି । ସେ ମୋ ହାତ ଧରି ଟାଣି ଟାଣି ରାସ୍ତା ଉପରକୁ ନେଇଗଲା ।

 

କି ବିଚିତ୍ର କଥା ! ଦେଖିଲି ରାସ୍ତାରେ ମୋଟର, ଘୋଡ଼ାଗାଡ଼ି, ରିକ୍‌ସା ଶହ ଶହ ଚାଲିଚି; ମାତ୍ର ସେ ଭିତରେ ଗୋଟିଏ ହେଲେ ପୁରୁଷ ନାହାନ୍ତି, ସମସ୍ତେ ନାରୀ । ମନେକଲି ସଂସାରଟା କ’ଣ ସତେ ଲେଉଟିପଡ଼ିଲା ! ପୁରୁଷ କ’ଣ ଏ ଜଗତରେ ଆଉ ନାହାନ୍ତି ? ସ୍କୁଲ-କଲେଜରେ, ହାଟ-ବଜାରରେ, ହୋଟେଲ-ଦୋକାନରେ ଏତେ ଯେ ବାଳକ, ବୃଦ୍ଧ, ଯୁବକ ଥିଲେ, ସେ ସମସ୍ତେ କ’ଣ ଏକାବେଳକେ ଉଭେଇଗଲେ ?

 

ମୋର ମନର କଥା ଜାଣିପାରିଲା ପରି ‘ନିଆଁଖୁଣ୍ଟା’ କହିଲା - ‘‘ଭୟ ଲାଗୁଚି କି ସମ୍ପାଦକେ ? ଭୟ ନାହିଁ; ଭୟ ନାହିଁ । ତୁମ ମନ ଭିତରେ ସ୍ତ୍ରୀ-ପୁରୁଷ ସାଂପ୍ରଦାୟିକ ଭାବ ଅଛି ନା; ତେଣୁ ତୁମକୁ ଏପରି ଲାଗୁଛି । ସମାଜର ପୁନର୍ଗଠନ ସମୟରେ ତୁମେ ଏପରି ବିଚଳିତ ହେଲେ ଚଳିବ ?’’

 

ଏପରି ସମୟରେ ନିକଟରେ ଦୁଇଟି ବୁଢ଼ୀ ମୋତେ ଚାହିଁ ମୋ ଉଦ୍ଦେଶ୍ୟରେ କଥାବାର୍ତ୍ତା ହେଲେ । ଜଣେ କହିଲା - ‘‘ଦେଖମ ଭଉଣି, ଦେଖ ମ, ଏ ପୁରୁଷ ଲୋକଟା ଦାଣ୍ଡରେ ଆସି କିପରି ବୁଲୁଚି ! ସାଙ୍ଗରେ ଚାକରାଣୀଟେ କି ଧାଈଟେ ହେଲେ ନାହିଁ । ଏ ମାଇକିନିଆ ଗହଳି ଭିତରେ କିଏ ତାକୁ କିମିତି ଏକୁଟିଆ ଛାଡ଼ିଦେଇଚି, ଟିକିଏ ହେଲେ ଭୟ ନାହିଁ !’’

 

ତା’ କଥାକୁ ଉଡ଼ାଇଦେଇ ଆର ବୁଢ଼ୀଟି କହିଲା - ‘‘ସେ ଦାଣ୍ଡରେ ବୁଲୁଚି ବୋଲି ମୋତେ ବେଶୀ ତାଟକା ଲାଗୁନାଇଁ ଯେ, ତାଟକା ଲାଗୁଚି ତାର ଲୁଗାପିନ୍ଧା ଦେଖି ! ମୁଣ୍ଡରେ ଓଢ଼ଣା ନାହିଁ, ଗୋଡ଼ରେ ଅଳତା ନାହିଁ; ଦେହରେ ପଞ୍ଜାବିଖଣ୍ଡେ ଗଳେଇଦେଇ, ଧୋତିଖଣ୍ଡେ ପିନ୍ଧି ସେ କିମିତି ସାହାସରେ ଚାଲିଛି ଦେଖେ ମ ମାଉସି !’’

 

ପ୍ରଥମା ମୁହଁ ମୋଡ଼ିଦେଇ କହିଲା - ‘‘ସତ ଲୋ ସତ, ଏବେ କାଳ ଇମିତି ହୋଇଗଲା-। ଏବେ ଅଣ୍ଡିରାଗୁଡ଼ାକ ଦାଣ୍ଡରେ ବୁଲିଲେଣି । ଘରେ ପିଲା କାଖେଇବ କିଏ ? ଲିପାପୋଛା କରି ଝୋଟି ମୁରୁଜ ଦେବ କିଏ ? ସେଦିନ ପରା ଦେଖିଲି ଦି’ଚାରିଟା ଅଣ୍ଡିରା କି ହସ-ଖିଆଲରେ ବଜାରରେ ବୁଲି ସଉଦା କରୁଥିଲେ । ୟା’ଠୁ କ’ଣ ଆଉ ଅପମାନର କଥା କିଛି ଅଛି କି ଲୋ ମାଉସି ? କାଳ ସତେ କ’ଣ ନ ହେଲା ! ଅଣ୍ଡିରାଗୁଡ଼ାକ ଘର ଛାଡ଼ି ଦାଣ୍ଡରେ ଆସି ବୁଲିଲେ !!’’

 

ଏ କଥାବାର୍ତ୍ତା ଶୁଣି ମୁଁ କ’ଣ ଭାବିଲି, କିଛି ଜାଣିପାରିଲି ନାହିଁ । ମନେକଲି, ସତେ ଅବା ମୋ ଗୋଡ଼ତଳୁ ପୃଥିବୀଟା ଖସିଗଲା । ମୁଣ୍ଡ ବୁଲେଇ ହେଲା । ମୋର ଶୁଣିବାରେ ବା ଦେଖିବାରେ କିଛି ଭ୍ରମ ହେଲା କି ବୋଲି ପୁଣି ବିଚାର ଆସିଲା । କାନକୁ ହାତ ମାଇଲି, ଆଖିକି ପୋଛିଲି; କିନ୍ତୁ ଆଖି କାନ ସବୁ ଠିକ୍ ଥିଲା ।

 

ଏପରି ସମୟରେ ‘ନିଆଁଖୁଣ୍ଟା’ ମୋ ହାତ ଧରି ହଲେଇଦେଲା । ମୁଁ ନିଦରୁ ଉଠିଲାପରି ଚମକି ଚାହିଁଲି । ସେ କହିଲା - ‘‘ଦେଖିଲି ତ, ଏଠୁ ଆଉ କୁଆଡ଼େ ଯିବ ?’’

 

କହିଲି - ‘‘କୁଆଡ଼କୁ ଯିବି କିଛି ବୁଝିପାରୁନାହିଁ । କାଲି ଯେଉଁ ସ୍ଥାନ ପୁରୁଷ-ସମାଗମ ଥିଲା ଆଜି ତ ତାହା ନାରୀପୂର୍ଣ୍ଣ ! ତେବେ ମୋର ବନ୍ଧୁ ସଦାଶିବବାବୁଙ୍କ ଦୁଆରମୁହଁରେ ଏକ ଅଦ୍ଭୁତ କାଣ୍ଡ । ତାହା ଦେଖି ମୋ ଆଖି ତାଳୁକୁ ଖୋଷିହୋଇଗଲା । ତାଙ୍କ ଦୁଆରମୁହଁରେ ଏକ ମୋଟର ଥୁଆହୋଇଥିଲା । ସଦାଶିବବାବୁ ମୋଟରରେ ସେହିକ୍ଷଣି ଆସି ବସିଲେ । ତାଙ୍କ ମୁଣ୍ଡରେ ଗୋଟାଏ ଓଢ଼ଣା ଥିଲା, ଠିକ୍ ଯେପରି ମାରୁଆଡ଼ିଆଣୀଙ୍କ ପିନ୍ଧିବା ଲୁଗା ଉପରେ ଗୋଟାଏ ଗୋଟାଏ ପତଳା ଚଦର ଓଢ଼ଣା । ସେ ଓଢ଼ଣା ତଳୁ ତଳେଇକରି ଚାହିଁ ଅନ୍ୟଜଣକୁ କହିଲେ - ‘‘ମୋର ଛତା ବାଡ଼ି ରହିଗଲା !’’ ବଡ଼ ବିଚିତ୍ର କଥା, ତାଙ୍କ ମୁହଁରୁ କଥା ସରୁ-ନ-ସରୁ ତାଙ୍କ ସ୍ତ୍ରୀ ଦୁଆରମୁହଁରୁ ପାଟିକରି କହିଲେ - ‘‘ଟିକିଏ ଲାଜସରମ ଲାଗୁନାହିଁ ! ମୁଣ୍ଡରୁ ଓଢ଼ଣା ଆଡ଼େଇ ଦାଣ୍ଡଟାରେ କଥା କହୁଚ !!’’ ଏହା କହି ସେ ଦୁମ୍‌ଦୁମ୍ ହୋଇ ଘର ଭିତରକୁ ପଶିଗଲେ । ମୁଁ ଏ ଦୃଶ୍ୟ ଦେଖି କିଂକର୍ତ୍ତବ୍ୟବିମୂଢ଼ ଭାବରେ କିଛି ସମୟ ଠିଆହୋଇ ଶଙ୍କିତ ପଦରେ ମୋଟର ନିକଟକୁ ଯାଇ ପଚାରିଲି - ‘‘ସଦାଶିବବାବୁ, ଏସବୁ କାଣ୍ଡକାରଖାନା କ’ଣ ? ଯାଉଚ କୁଆଡ଼େ ?’’

 

ସଦାଶିବବାବୁ ଚୁଁ ମାଇଲାପରି ଆଗ ଅପେକ୍ଷା କ୍ଷୀଣ କଣ୍ଠରେ କହିଲେ - ‘‘ଯାଉଚି ଶାଶୁଘରକୁ ଆଜି । ବାପଘରେ ଦିନ ପନ୍ଦରଟା ମାତ୍ର ଥିଲି । ଏଇ ଆମ ଘରଲୋକ ଡାକିଆସିଥିଲେ-। ତେଣେ ଘର ଚଳୁନାହିଁ ବୋଲି ସେ ଜିଦ୍ ଧରି ବସିଲେ ଯିବାକୁ ହେବ । ତୁମେ ଯାଅ, ପାଖକୁ ଟିକିଏ ଘୁଞ୍ଚି ଠିଆହୁଅ । ଏଇକ୍ଷଣି ସେ ଆମର ଆସିଲେ ଭାରି ବିରକ୍ତ ହେବେ ।’’

 

ମୁଁ ପଛକୁ ଯିବି କି ଆଗକୁ ଯିବି କିଛି ବୁଝି ନ ପାରି ସେଇଠି କାଠଟାପରି ଠିଆହୋଇ ରହିଲି । ଦେଖିଲି, ମୋଟରଚାଳକ ଜଣେ ଷୋଡ଼ଶୀ ଯୁବତୀ । ଘର ଭିତରୁ ସଦାଶିବବାବୁଙ୍କ ଘରଲୋକ ଦୁମ୍‌ଦୁମ୍ ଚାଲିଆସି ଛତା ବାଡ଼ି ଦି’ଟା ସଦାଶିବବାବୁଙ୍କୁ ବଢ଼େଇଦେଲେ । ସଦାଶିବବାବୁ ମୋଟରର ପଛପଟେ ବସିଥିଲେ । ତାଙ୍କ ସ୍ତ୍ରୀ ଡ୍ରାଇଭର୍ ପାଖେ ବସି ଆଦେଶ ଦେଲେ - ‘‘ଚଲାଓ ।’’ ମୋଟର ଭଁ-ଭଁ ହୋଇ ଚାଲିଲା, ମୋ କାନ ଭାଁ-ଭାଁ ହୋଇଗଲା ।

 

ମୁଁ ଶୂନ୍ୟକୁ ଚାହିଁ କ’ଣ ବିଚାରୁ ବିଚାରୁ ‘ନିଆଁଖୁଣ୍ଟା’ ମୋ ହାତ ଟାଣିଧରି କହିଲା - ‘‘ଆଉ କ’ଣ ଦେଖିବ ?’’

 

ମୁଁ ଆଖି ବୁଜିଦେଲି । ସେ ଭିତରେ ଦେଖିଲି - ମୋଟର ସେଇପରି ଭଁ-ଭଁ ହୋଇ ଚାଲିଚି, ତା’ ଭିତରେ ସଦାଶିବବାବୁ କେବଳ ନୀରବ; ଡ୍ରାଇଭର ଓ ତାଙ୍କ ସ୍ତ୍ରୀ ହାସ୍ୟରୋଳରେ ରାସ୍ତାଘାଟ ଫଟେଇ ଦେଇଛନ୍ତି । ଆଖି ଫିଟାଇଲି । ଦେଖିଲି, ଏକ ନୀରବ ଶୋଭାଯାତ୍ରା ଚାଲିଚି । ଦଶ-ପନ୍ଦରଟି ଲୋକ ଧୀର ମନ୍ଥର ଗତିରେ ଗଳିମୁଣ୍ଡ ଛକ ଉପରଦେଇ ଯାଉଚନ୍ତି । ପଚାରିଲି - ‘ନିଆଁଖୁଣ୍ଟା’, ‘‘ଏ ବିଧବାମାନେ କ’ଣ ଶ୍ମଶାନଘାଟକୁ ଯାଉଛନ୍ତି କୌଣସି ଶୁଦ୍ଧିକ୍ରିୟା ପାଇଁ ?’’

 

‘ନିଆଁଖୁଣ୍ଟା’ ହସି ହସି ଭାଜିପଡ଼ିଲା । କହିଲା - ‘‘ଏମାନେ ବିଧବା ନୁହନ୍ତି ବନ୍ଧୁ, ବିଧବା ନୁହନ୍ତି । ଏମାନେ ହେଉଛନ୍ତି ଓଡ଼ିଶା ଲାଟସଭାର ସଦସ୍ୟ କେତେ ଜଣ, ଯାଉଛନ୍ତି ସଭାକୁ ।’’

 

ମୋ ମନ ଘିରିଘିରି ବୁଲିଲା । ସତ କି ମିଛ ଦେଖିବାପାଇଁ ଧାଇଁଗଲି ସେମାନଙ୍କ ପାଖକୁ । ପାଦରେ ଅଳତା, ମୁଣ୍ଡରେ ଓଢ଼ଣା, ଅଥଚ ପୂର୍ବପରିଚିତ ବନ୍ଧୁଗଣ !! ଏ କ’ଣ ? ଦେଖିଲି ବନ୍ଧୁ ନନ୍ଦଙ୍କୁ । କାଲି ଯେ ପ୍ରାଇମେରୀ ଶିକ୍ଷକଙ୍କ ଚରିତ୍ର ବିଷୟରେ ସନ୍ଦେହ କରୁଥିଲେ, ଆଜି ତାଙ୍କର ଏ ପରିବର୍ତ୍ତନ କ’ଣ ? ଦେଖିଲି ପ୍ରିୟ ତ୍ରିପାଠିଙ୍କୁ । କାଲି ଯେ ପୁରୁଷଙ୍କ ପାଇଁ ମଦନାନନ୍ଦ ବାଣ୍ଟୁଥିଲେ, ଆଜି ତାଙ୍କ ଓଢ଼ଣା ତଳେ ରତିବିଳାସର ନୋଟିସ ! ଦେଖିଲି ବୃଦ୍ଧ ମିଶ୍ରଙ୍କୁ-। ଯୁବତୀ ପରି ସେ ଲାଜରେ ସଢ଼ିଯାଉଛନ୍ତି । ଧାଡ଼ିଭିତରେ ଥିଲେ ମିଆଁ ସାହେବ । ପରଦା ଭିତରୁ ସେ କେବଳ ଦୁଇଟି ଆଖିରେ ଜାଲି ଭିତରୁ ଚାହିଁ କହୁଛନ୍ତି - ଓଡ଼ିଶାରେ ଅଣ୍ଡାର ଅଭାବ ରୋଷେଇ ଘରେ । ସେଥିପାଇଁ ଆଜି ମୁଁ ଆପତ୍ତି ଜଣାଇବି । ଦେଖିଲି, ସେଇ ଧାଡ଼ିରେ ପାତ୍ର, ପଟ୍ଟନାୟକ, ମହାନ୍ତି, ବୋଷ ସମସ୍ତେ ଚାଲିଛନ୍ତି । କିଏ ଚୁଁ ମାରୁଚି, କିଏ ଫିସ୍‌ଫିସ୍ କଥା ହେଉଚି, କିଏ ଲାଜରେ ଜଡ଼ସଡ଼ ହୋଇପଡ଼ୁଛି । ମୁଁ ହାତଟେକି ସେମାନଙ୍କୁ ନମସ୍କାର ହେବାକୁ ଯାଉଥିଲି, ‘ନିଆଁଖୁଣ୍ଟା’ ମୋ ହାତ ଧରି ଅଟକାଇ ଦେଲା - କହିଲା, ‘‘ଏମାନେ ପ୍ରତିନମସ୍କାର ଦେବେ କି ଓଳିକି ହେବେ, ନ ଜାଣି ଏ କ’ଣ ?’’

 

ଏତିକିବେଳେ ମୋ ନିଦ ଭାଜିଗଲା - ଚମକି ଉଠି ବସିଲି ଖଟ ଉପରେ । ‘ନିଆଁଖୁଣ୍ଟା’ ପଡ଼ିଥିଲା । କାଗଜ-କଲମ ଥୁଆହୋଇଥିଲା ।

***

 

ଓଡ଼ିଶାରେ ଚାକିରି ଶସ୍ତା

 

(୧)

 

ଅନେକ ଅନେକ ଦିନ ତଳେ ବନା ବୋଲି ଏକ ଲୋକ ଥିଲା । ବନା ଜାତିରେ କୁମ୍ଭାର-। ବନା ବିଭାହେଲା । ବନାର ଭାର୍ଯ୍ୟା ନାଁଟି ସୁନେଇ । ସୁନେଇ କୁମ୍ଭାରୁଣୀ ହେଲେ କ’ଷ ହେଲା, ତା’ ମନଟି ଥିଲା ବଡ଼ଲୋକ ଘରର ମନପରି । ତା’ ସାଇପଡ଼ିଶା ଗୋପିଆ ଘରର କାରବାର ଦେଖି ତା’ ମନଟା ଖୁବ୍ ରବେଇ-ଖବେଇ ହେଲା । ବନା ଘରଟା ତାକୁ ସୁଖ ଲାଗିଲାନାହିଁ । ମନକୁମନ କହିଲା - ‘‘ଏ ପାଣିବୁହା, ଏ କାଦୁଅ- ଚକଟା, ଏ ହାଣ୍ଡି-କୁଣ୍ଢଇ ଗଢ଼ା - ଏଗୁଡ଼ାକ କି କାମ ଲୋ !’’

 

ଦିନେ ସୁନେଇ ମୁହଁରୁ ଏପରି କଥା ଶୁଣି ବନା କହିଲା - ‘‘କାହିଁକି, ଏ ତ ଆମର କୁଳ-ବୃତ୍ତି । ଆମ ବ୍ୟବସାୟଟା ଯେ ଖୁବ୍ ଭଲ ବ୍ୟବସାୟ, ଏକଥା ଦେଶରେ ନଜାଣେ କିଏ ? ଆମେ ହାଣ୍ଡି-କୁଣ୍ଢେଇ ନଗଢ଼ିଲେ ଲୋକେ ମୁଠେ ରାନ୍ଧି ଖାଇବାକୁ ପାଇବେନାହିଁ । ଦେଶରେ ବର୍ତ୍ତମାନ ସରକାର କହୁଚନ୍ତି ଯେ, ଆମର ଏ ଶିଳ୍ପଟା ଗୋଟାଏ ମୌଳିକ ଶିଳ୍ପ ।’’

 

ବନାର ଏ କଥାରେ ସୁନେଇର ମନ ମାନିଲା, କହିଲା - ‘‘ତଥାପି ଲୋକେ ଆମକୁ ‘କୁମ୍ଭାରଟା’ ବୋଲି ବଡ଼ ହୀନଦୃଷ୍ଟିରେ ଦେଖୁଚନ୍ତି । ଆମ କାମଟାର ଯେବେ ଏତେ ମୂଲ୍ୟ ଅଛି, ତେବେ ଦେଶରେ ଏତେ ଏତେ ଚା’ ଭୋଜି, ଅଭିନନ୍ଦନ ସଭା, ଆଲୋଚନା ବୈଠକ, ସରକାରୀ ଡିନ୍‌ରପାର୍ଟିକୁ ତ କାହିଁକି ଦିନେହେଲେ ଆମକୁ ଡକାଯାଉନାହିଁ । ଗୋପିଆ ଘରକଥା ଦେଖୁଚ ତ । ସେ କେଉଁ ଗୁଣରେ ଆମଠୁ ଅଧିକା ? ଆମରି ଜାତିଭାଇ, ଆମରି ପରି ହାଣ୍ଡିକୁଣ୍ଢେଇ ଗଢ଼ୁଥିଲା; ଅଥଚ ତା’ ଦୁଆରେ ଗଣ୍ଡା ଗଣ୍ଡା ମୋଟର ।’’

 

ଗୋପିଆ ଓରଫ୍‌ ଗୋପୀବଲ୍ଲଭ ବର୍ତ୍ତମାନ ଦେଶରେ ଗୋପୀବଲ୍ଲଭବାବୁ ବୋଲି ପରିଚିତ । ସେ ଆଗେ ଥିଲେ ଜଣେ ସବ୍-ଓଭରସିଅର୍ । ଦେଖୁ ଦେଖୁ ବିଜୁଳିପରି ତାଙ୍କର ଉନ୍ନତି ହେଲା । ସେ ଏବେ ଜଣେ ଖ୍ୟାତନାମା ଡେପୁଟୀ ଇଞ୍ଜିନିୟର୍ । ଗୋପୀବଲ୍ଲଭବାବୁଙ୍କ ସହଧର୍ମିଣୀ ମାଟିବାଳା ଦେବୀ ଅତି ସୁନ୍ଦରୀ । ଲୋକ କହନ୍ତି, ବିଧାତା ବୋଧହୁଏ ଚିଫ୍-ଇଞ୍ଜିନିୟର୍‌ଙ୍କ ପାଇଁ ଖୋଦ୍ ତିଆରି କରିଥିଲା । ଘରୁ ବାହାରକୁ ଯେତେ ଥର ସେ ବାହାରନ୍ତି, କୌଣସି ଥର ସେ ଏକା ଶାଢ଼ୀ ପିନ୍ଧିବାର କହେି କେବେ ଦେଖିନାହିଁ ।

 

ସୁନେଇ (ବର୍ତ୍ତମାନ ପାଠକେ ତାଙ୍କୁ ସ୍ୱର୍ଣ୍ଣମୟୀ ବୋଲି ମନେକରନ୍ତୁ) ବନା ଓରଫ୍ ବନମାଳୀଙ୍କୁ କହିଲା - ‘‘କାହିଁକି, ତୁମେ ଜଣେ ଡେପୁଟି ଇଞ୍ଜିନିୟର୍ ହେଉନାହଁ ?’’

 

- ‘‘ମୁଁ ? ମୁଁ ସେ ବିଷୟରେ ଜାଣେ କ’ଣ !’’

 

- ‘‘ଆଜିକାଲି ଚାକିରିରେ ଜାଣିବା ନଜାଣିବା କଥା କିଛି ନାହିଁ । କଥା ହେଉଚି, ଜାଣିଚି ବୋଲି ଜଣାଇପାରିଲେ ହେଲା ।’’

 

- ‘‘ମୁଁ କିମିତି ଜଣାଇବି, ଜାଣିପାରୁନାହିଁ ।’’

 

- ‘‘ତୁମର ପିଉସୀପୁଅ ଭାଇ ଜଗା କ’ଣ ଜଣେ ପଣ୍ଡିତ ? ସେ ତ କେବଳ ତୁମରି ପରି ହାଣ୍ଡି ମାଠିଆ ଗଢ଼େ । ମାତ୍ର ସେ ଥରେ ଜେଲ୍ ଯାଇ ଆମରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପାଖେ ଥିଲା । ସେତିକିବେଳେ ସେ ଗୋଟିଏ ସୁନ୍ଦର ମାଠିଆ ତିଆରି କରି ଜେଲ୍‌ରେ ତାଙ୍କୁ ଉପହାର ଦେଇଥିଲା । ସେଇ କଥା ମାନ୍ୟବର ମନ୍ତ୍ରୀଙ୍କ ମନରେ କାଲିର କଥା ପରି ରହିଚି । ଶୁଣୁଚି, ସେଇ ପରିଚୟରେ ସେ ଏବେ ୨୫ଜଣଙ୍କୁ ନେଇ ଚାକିରି କରାଇଦେଲାଣି । ତାକୁ କୁଆଡ଼େ ଶିକ୍ଷା ବିଭାଗରେ ଆସିଷ୍ଟଣ୍ଟ ଡିରେକ୍‌ଟର ପଦ ଯଚାଯାଇଥିଲା । ସେ ନାହିଁ କଲା । କହିଲା, ମୋର ଚାକିରି ଦରକାର ନାହିଁ । ଏଇ ହତଭାଗା ବେକାର ଲୋକଙ୍କୁ ଭେଟେଇ ଚାକିରି ଜୁଟାଇଦେବାର ଯେଉଁ ଚାକିରି, ସେଇ ଚାକିରିଟା ମୋର ପର୍ମାନେଣ୍ଟ କରିଦିଆଯାଉ । ପ୍ରଧାନମନ୍ତ୍ରୀ କୁଆଡ଼େ ‘ତଥାସ୍ତୁ’ କହିଲେ । ତୁମେ ଯାଅ ତ ଦେଖି ଜଗାକୁ ଧରି, ଡେପୁଟି ଇଞ୍ଜିନିୟର କ’ଣ, ତୁମେ କ’ଣ ଚିଫ୍-ଇଞ୍ଜିନିୟର ହୋଇପାରିବନି ।’’

 

ବନା ଟିକିଏ ତଳ ଉପରକୁ ଚାହିଁ କହିଲା - ‘‘ଆଚ୍ଛା, କାଲିକି ଯିବି ।’’

 

- ‘‘କାଲିକି ? ନା, ନା, ଆଜି ଯିବାକୁ ହେବ ।’’

 

(୨)

 

ଏ ମଧ୍ୟରେ ଦେଶରେ ଘନଘନ ପରିବର୍ତ୍ତନ ଓ ପ୍ରସାର ଫଳରେ ଜଣେ ଡେପୁଟି ଇଞ୍ଜିନିୟର୍ ଆବଶ୍ୟକ ହେଲେ । ଅନେକ ଦରଖାସ୍ତ ପଡ଼ିଲା । ପାର୍ଥୀମାନଙ୍କର ଦେଖାସାକ୍ଷାତ ହେଲା । ସେକ୍ରେଟେରୀ ଫାଇଲ୍ ପଠାଇଲେ ଅମୁକ ପ୍ରାର୍ଥୀକୁ ସୁପାରିସ୍ କରି । ବାରିକ ବିଭାଗ ମନ୍ତ୍ରୀ ତାକେଇ ସମର୍ଥନ କରି, ନୋଟ୍ ଦେଇ, ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଫାଇଲ୍ ପଠାଇଦେଲେ । ପ୍ରାୟ ଦୁଇସପ୍ତାହ ପରେ ଫାଇଲ୍ ଫେରିଆସିଲା - ‘‘ବନମାଳୀବାବୁଙ୍କୁ ନିଯୁକ୍ତ କର ।’’

 

‘‘ଏ ବନମାଳୀ କିଏ ?’’ ବାରିକ ବିଭାଗ ମନ୍ତ୍ରୀ ସେକ୍ରେଟେରୀଙ୍କୁ ପଚାରିଲେ । ‘‘ମୁଁ ଜାଣିନାହିଁ’’ ବୋଲି ସେକ୍ରେଟେରୀ ଉତ୍ତର ଦେଲେ । ତା’ ପରେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସେକ୍ରେଟେରୀଙ୍କ ହେଡ୍ ଆସିଷ୍ଟାଣ୍ଟ ସେକ୍ରେଟେରୀଙ୍କ ଆଡ଼ିସନାଲ୍ ଆସିଷ୍ଟାଣ୍ଟ୍ ସେକ୍ରେଟେରୀଙ୍କୁ ପଚାରିଲେ ଫୋନ୍‌ରେ - ‘‘ଏ ବନମାଳୀବାବୁ କିଏ ?’’

 

ଉତ୍ତର ମିଳିଲା - ‘‘ପ୍ରଧାନମନ୍ତ୍ରୀ କହିଲେ ଏହାଙ୍କୁ ନିଯୁକ୍ତି କର ବୋଲି ।’’

 

- ‘‘ତେବେ ଏ କିଏ ?’’

 

-‘‘ଏ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କର ଜଣେ ବନ୍ଧୁ, ଜଗା ନାମକ ବ୍ୟକ୍ତିର ବନ୍ଧୁ ।’’

 

- ‘‘ଜଗା କିଏ ?’’

 

- ‘‘ପ୍ରଧାନମନ୍ତ୍ରୀ ଜେଲ୍‌ରେ ଥିଲାବେଳେ ଏଇ ଜଗା ଥରେ ତାଙ୍କୁ ଏକ ମାଠିଆ ଗଢ଼ିକରି ଦେଇଥିଲେ । ସେଥିରେ ସେ ବଡ଼ ଖୁସି ହୋଇଥିଲେ ।’’

 

- ‘‘ଆଚ୍ଛା, ବନମାଳୀବାବୁ କ’ଣ ଇଞ୍ଜିନିୟରିଂ ପାସ୍ କରିଚନ୍ତି ?’’

 

- ‘‘ପାସ୍ କରିବା କ’ଣ ଏ କ୍ଷେତ୍ରରେ ନିତାନ୍ତ ଦରକାର ?’’

 

- ‘‘ନା, ନା ଆଦୌ ନୁହେଁ ।’’ (ଏପରି ପ୍ରଶ୍ନରୁ କି ବିପଦ ଉପୁଜିବା ଭୟରେ )

 

ଏହା ପରେ ବନମାଳୀ ଚାକିରିରେ ନିଯୁକ୍ତ ହେଲେ । ମାସିକ ଦରମା ଟ ୬୫୦/- - ଏହା ଛଡ଼ା ଟି.ଏ. ଓ ଡି.ଏ. ଅଛି ।

 

(୩)

 

ବନମାଳୀବାବୁ କାର୍ଯ୍ୟଭାର ଗ୍ରହଣ କଲେ । ତାଙ୍କ ସ୍ତ୍ରୀ ସୁନେଇର ଆନନ୍ଦର ସୀମା ନାହିଁ-। ସୁନେଇର କଥା ଅନୁସାରେ ସେ କାର୍ଯ୍ୟ ଆରମ୍ଭ କରିଦେଲେ । ସୁନେଇ କହିଲା - ‘‘ଯାଅ ତୁମେ ଗସ୍ତରେ ।’’ ବନମାଳୀବାବୁ ଗସ୍ତରେ ଗଲେ ।

 

ସୁନେଇ କହିଲା - ‘‘କର ବିଲ୍ । ଟି.ଏ. ଆଣ ।’’

 

ବିଲ୍ ହେଲା; ଟି.ଏ. ଆସିଲା ।

 

ଏଣେ ଅଫିସରେ କିରାଣି ଆଣିଲା ଫାଇଲ୍ ବନମାଳୀବାବୁ ଅଡୁଆରେ ପଡ଼ିଲେ । ସଙ୍ଗେ ସଙ୍ଗେ ଘରକୁ ଫେରିଆସି ସୁନେଇର ପରାମର୍ଶ ନେଲେ । ସୁନେଇ ଏ ମଧ୍ୟରେ ତାଙ୍କୁ ସାନ ବଡ଼ ଦୁଇଟି ଦସ୍ତଖତ ଶିଖାଇ ଦେଇଥିଲା । କହିଲା - ‘‘ତୁମେ କେବଳ ଦସ୍ତଖତ କରିବ ।’’ ବନମାଳୀବାବୁ ଫେରିଯାଇ ଖୁବ୍ ଦସ୍ତଖତ କଲେ ।

 

ଦିନେ ଆସିଲା ଦେଶର ବଡ଼ନଈର ଶଙ୍ଖ ବିଷୟରେ ଫାଇଲ୍ । ସ୍କେଚ୍ ମ୍ୟାପ୍ ଦେଖି ବନମାଳୀବାବୁ ଚମକିପଡ଼ିଲେ । କହିଲେ, ‘‘ହାଣ୍ଡିର ମଙ୍ଗପରି ଏହା ଗୋଲ୍ ନ ହୋଇ ଲମ୍ବ ଲମ୍ବ କାହିଁକି ହୋଇଚି ?’’

 

- ‘‘ସାର୍, ଏ ହାଣ୍ଡିକଣ୍ଢେଇ ନୁହେଁ; ଏ ହେଉଚି ନଈର ଶଙ୍ଖ ।’’

 

- ‘‘ନଈର ଶଙ୍ଖ ଓ ହାଣ୍ଡି-ମଙ୍ଗ ଭିତରେ କିଛି ପ୍ରଭେଦ ନାହିଁ । ଠିକ୍ ମଙ୍ଗ ପରି କର ।’’

 

- ‘‘ଏହା କିପରି ହେବ ?’’

 

- ‘‘ଯେପରି ହାଣ୍ଡି ହୁଏ । ମଙ୍ଗ ବିନା କେହି ମଜବୁତ୍ ହେବନାହିଁ ।’’

 

ଚାକିରି ଚାଲିଯିବା ଭୟରେ ତଳିଆ କର୍ମଚାରୀମାନେ ଡେପୁଟୀ ଇଞ୍ଜିନିୟରଙ୍କ ସହିତ ଏକମତ ହୋଇଗଲେ । ନୂଆ ଶଙ୍ଖ ତିଆରି ଚାଲିଲା । ଦେଖାଗଲା ନଈ ଉପରେ ଗୋଟାଏ ବିରାଟ ହାଣ୍ଡିର ମଙ୍ଗ । ଏ ପ୍ରକାର ଶଙ୍ଖ ଦେଖି ସମଗ୍ର ଦେଶ ବିସ୍ମିତ ହୋଇଗଲା ।

 

ଠାଏ ଏକ ଚା’ ଭୋଜି ହେଲା । ବହୁ ସରକାରୀ କର୍ମଚାରୀ ନିମନ୍ତ୍ରିତ ହୋଇଥିଲେ । ସେ ସଭାରେ ସସ୍ତ୍ରୀକ ବନମାଳୀବାବୁ ଉପସ୍ଥିତ ଥିଲେ । ନାରୀଗହଣରେ ସମସ୍ତଙ୍କଠାରୁ ଚାକଚକ୍ୟରେ ସ୍ୱର୍ଣ୍ଣମୟୀ ସମସ୍ତଙ୍କ ଦୃଷ୍ଟ ଆକର୍ଷଣ କଲେ । ସମସ୍ତେ ମୁହଁକୁ ମୁହଁ ଚାହିଁ କଥା ହେଲେ - ‘‘ଏ କିଏ !’’

 

ସମସ୍ତେ ଉତ୍ତର ପାଇଲେ - ‘‘ଏ ହେଉଚନ୍ତି ନୂଆ ସାହେବଙ୍କ ସ୍ତ୍ରୀ ।’’

 

ଯେତେବେଳେ ଚା’ ପରଷାଗଲା, ବନମାଳୀବାବୁ ଚା’ ନଖାଇ ଚା’ର କପ୍ ସମ୍‌ର ପ୍ରତି କେବଳ ଏପଟସେପଟ ଆଖି ଫେରାଇ ଚାହିଁଲେ । କହିଲେ, ‘‘ଏ ତ ଠିକ୍ ବଡ଼ନଈର ନୂଆ ଶଙ୍ଖ ମଙ୍ଗ ପରି ହୋଇଚି ।’’

ନଜାଣିବା ଲୋକେ ପଚରାପଚରି ହେଲେ - ‘‘ଏ କିଏସେ ?’’

 

ଉତ୍ତର ମିଳିଲା, ‘‘ଏଇ ସ୍ୱର୍ଣ୍ଣମୟୀଙ୍କ ସ୍ୱାମୀ, ଯେ କି ହାଣ୍ଡିପରି ଶଙ୍ଖ ଗଢ଼ିପାରନ୍ତି ଓ ଶଙ୍ଖପରି ଚା’ କପ୍ ଗଢ଼ିପାରନ୍ତି । ବର୍ତ୍ତମାନ ଏ ଜଣେ ଡେପୁଟି ଇଞ୍ଜିନିୟର୍ ।’’

***